ଝାଡଖଣ୍ଡ-: ଭାଙ୍ଗିବାରେ ଲାଗିଛି ମାଓବାଦୀ ଗଡ଼ । ଏନକାଉଣ୍ଟରରେ ଟଳିଲା ମାଓ କମାଣ୍ଡର । ଝାଡଖଣ୍ଡର ଲାତେହାରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିପାତ ହୋଇଛି ହାର୍ଡକୋର ମାଓବାଦୀ କମାଣ୍ଡର ମନୀଷ ଯାଦବ । ରବିବାର ବିଳମ୍ବିତ ରାତିରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲୁଥିବା ବେଳେ ମନୀଷ ଯାଦବ ନିପାତ ହୋଇଛି । ନିହତ ମନୀଷ ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ସେହିପରି ୧୦ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ଆଉ ଜଣେ ମାଓବାଦୀ କୁନ୍ଦନ ଖେରୱାରକୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି । ଘଟଣାସ୍ଥଳରୁ ୨ଟି ସ୍ୱୟଂଚାଳିତ ରାଇଫଲ ଜବତ ହେବ ସହିତ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନା ଅନୁଯାୟୀ, ଲାତେହାରର ମହୁଆନ୍ଦାର ଥାନା ଅନ୍ତର୍ଗତ କରମଖାଡ ଏବଂ ଦାଉନା ଜଙ୍ଗଲରେ ମାଓ କମାଣ୍ଡର ମନୀଷ ଯାଦବ ତା ସ୍କ୍ୱାଡ୍ ସହିତ ଲୁଚି ରହିଥିବାର ସୂଚନା ପାଇବା ପରେ ସୁରକ୍ଷାକର୍ମୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିବା ଆରମ୍ଭ କରିଥିଲେ । ଆଉ ସେହି ସମୟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ମାଓ କମାଣ୍ଡର ମନୀଷ ଯାଦବ ନିହତ ହୋଇଥିଲା ।