ବ୍ୟୁରୋ-: ଜୋସ୍ ବଟଲରଙ୍କ ଧୂଆଁଧାର୍ ସଟ୍ ଆଗରେ ଧରାଶାୟୀ ହେଲା ବାଙ୍ଗାଲୋର ଦଳ । ଘରୋଇ ପିଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ମାତ୍ ଦେଲା ଗୁଜୁରାଟ ଟାଇଟାନ୍ସ (ଜିଟି) । ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ରେ ଗୁଜୁରାଟ ଉଭୟ ବୋଲିଂ ଓ ବ୍ୟାଟିଂରେ ପ୍ରଭାବଶାଳୀ ପ୍ରଦର୍ଶନ କରି ମ୍ୟାଚ୍ କୁ ୮ ୱିକେଟରେ ଜିତି ନେଇଥିଲା । ବଟଲରଙ୍କ ମାତ୍ର ୩୯ ବଲ୍ ରେ ୫ଟି ଚୌକା ଓ ୬ଟି ଛକ୍କା ସହାୟତାରେ ଅପରାଜିତ ୭୩ ରନ୍ ଗୁଜରାଟକୁ ଏକ ସହଜ ବିଜୟ ଦେଇଥିଲା । ଦଳ ୧୭ ଓଭର ୫ ବଲରେ ମାତ୍ର ୨ ୱିକେଟ ହରାଇ ୧୭୦ ରନ୍ ର ବିଜୟ ଲକ୍ଷକୁ ହାସଲ କରିନେଇଥିଲା ।
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜରାଟ । ମ୍ୟାଚ ଆରମ୍ଭରୁ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଆରିସିବିକୁ ବିପଦରେ ପକାଇଥିଲା । କିନ୍ତୁ ଲିଆମ୍ ଲିଭିଂଷ୍ଟୋନ୍ଙ୍କ ୫୪ ରନ୍ ଓ ଟିମ୍ ଡେଭିଡଙ୍କ ଆକ୍ରମଣାତ୍ମକ ୩୨ ରନ୍ ଫଳରେ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୧୬୯ ରନ୍ କରିଥିଲା । ଗୁଜରାଟ ପକ୍ଷରୁ ମହମ୍ମଦ ସିରାଜ ୩ଟି ୱିକେଟ୍ ନେଇଥିବା ବେଳେ ସାଇ କିଶୋର ୨ଟି ୱିକେଟ୍ ଅକ୍ତିଆର କରିଥିଲେ ।
ଗୁଜରାଟ ୧୭୦ ରନ୍ର ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ପଞ୍ଚମ ଓଭରରେ ଭୁବନେଶ୍ୱର କୁମାର ଗୁଜରାଟ ଅଧିନାୟକ ଶୁବମନ ଗିଲ୍ଙ୍କୁ ଆଉଟ୍ କରି ପ୍ୟାଭିଲିଅନ ପଠାଇବା ପରେ ସାଇ ସୁଦର୍ଶନ ଓ ଜୋଶ୍ ବଟଲରଙ୍କ ଦମଦାର ବ୍ୟାଟିଂ ଫଳରେ ଗୁଜରାଟ ମ୍ୟାଚ୍କୁ ୮ ୱିକେଟ୍ରେ ଜିତିଯାଇଥିଲା । ଗୁଜରାଟ ପକ୍ଷରୁ ଜୋଶ୍ ବଟଲର ଅପରାଜିତ ୭୩ ରନ୍ କରିଥିବା ବେଳେ ସାଇ ସୁଦର୍ଶନ ୪୯ ରନ୍ କରିଥିଲେ ।