ସାମ୍ନାକୁ ଆସିଲା ଜିଏସଟି ଠକେଇ ରିପୋର୍ଟ

(ରିିପୋର୍ଟସ ଟୁଡ଼େ): ଚଳିତ ଆର୍ଥତ୍କ ବର୍ଷର ଏପ୍ରିଲ-ନଭେମ୍ବର ସମୟ ମଧ୍ୟରେ ଦେଶରେ ୧୨,୦୦୦ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଠକେଇ ସାମ୍ନାକୁ ଆସିଛି। ଆଠ ମାସ ମଧ୍ୟରେ ସରକାର ଏହି ଠକେଇ ମାମଲାଗୁଡ଼ିକୁ ଧରିବାରେ ସକ୍ଷମ ହୋଇଛନ୍ତି ବୋଲି ବୁଧବାର କେନ୍ଦ୍ରୀୟ ପରୋକ୍ଷ ଏବଂ ସୀମା ଟିକସ ବୋର୍ଡ(ସିବିଆଇସି)ର ସଦସ୍ୟ ଜନ ଯୋଶେଫ ସୂଚନା ଦେଇଛନ୍ତି। ଇ-ଓ୍ବେ ବିଲ୍‌ ବ୍ୟବସ୍ଥା ସତ୍ତ୍ୱେ ଲୋକମାନେ ଟିକସ ଫାଙ୍କିବାକୁ ସକ୍ଷମ ହେଉଥିବା ସେ କହିଛନ୍ତି। ଅନୁପାଳନ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାର ଆବଶ୍ୟକତା ରହିଥିବା ସେ ମତ ରଖିଛନ୍ତି।
ସରକାର ଚଳିତ ବର୍ଷ ଏପ୍ରିଲ ମାସ ପରେ ଠକେଇ ରୋକିବା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ। ଏଭଳି ଠକେଇ ପୂର୍ବରୁ ଏତେଟା ହେଉ ନ ଥିବା ବେଳେ କିଛି ବ୍ୟକ୍ତି ବାହାର ଲୋକଙ୍କ ସହାୟତା ନେଇ ଟିକସ ଫାଙ୍କୁଥିବା ଆସୋଚାମର ଏକ କାର୍ୟ୍ୟକ୍ରମରେ ଯୋଶେଫ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ସିବିଆଇସି ପକ୍ଷରୁ ୮,୦୦୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅର୍ଥକୁ ସଂଗ୍ରହ କରିବା ଲାଗି ପଦକ୍ଷେପ ନିଆଯାଇଛି। ୨୦୧୭ ଜୁଲାଇରେ ଜିଏସଟି ଲାଗୁ କରିବା ପରେ କାର୍ୟ୍ୟାନୁଷ୍ଠାନକୁ ହଠାତ କଡାକଡି ନ କରିବାକୁ ସରକାର ଚାହିଁଥିଲେ। ମୋଟ ୧.୨ କୋଟି ଟିକସଦାତାଙ୍କ ମଧ୍ୟରୁ ୫ରୁ ୧୦% ଲୋକ ଟିକସ ଫାଙ୍କୁଥିବା ଜଣା ପଡିଛି। ଏଣୁ ଅନୁପାଳନ ଧାରାକୁ କଡ଼ାକଡ଼ି କରାଯିବାର ଆବଶ୍ୟକତା ରହିଥିବା ସେ ଗୁରୁତ୍ୱାରୋପ କରିଛନ୍ତି।