ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । କ୍ୟାବିନେଟ ବୈଠକରେ ୧୦ରୁ ଉର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିବ ସରକାରୀ ମୋହର । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏକାଧିକ ପ୍ରକଳ୍ପକୁ ମିଳିପାରେ ମଞ୍ଜୁରୀ । ଅବଢା ଯୋଜନାର ବ୍ୟୟ ଅଟକଳ ବୃଦ୍ଧି ହୋଇ ୪୨୨୪ କୋଟି ଛୁଇଁବା ସମ୍ଭାବନା ରହିଛି । ସେହିପରି ସଉରା ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପାଇଁ ପ୍ରସ୍ତାବକୁ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି । ଲୋକସେବା ଭବନରେ ଆୟୋଜିତ ହେବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ନବୀନ ନିବାସରୁ ଯୋଗ ଦେଇ ବୈଠକର ଅଧ୍ୟକ୍ଷତା କରିବେ । ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏକାଧିକ ପ୍ରକଳ୍ପକୁ ମିଳିପାରେ କ୍ୟାବିନେଟର ମଞ୍ଜୁରୀ । ଏହି ଯୋଜନାରେ ପ୍ରାୟ ୩୭୦୮କୋଟି ଟଙ୍କାର ବ୍ୟୟ ମଞ୍ଜୁରୀକୁ କ୍ୟାବିନେଟ ଅନୁମୋଦନ ସମ୍ଭାବନା ରହିଛି । ବୈଠକ ପରେ ଏନେଇ ସୂଚନା ଦେବେ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେହିପରି ଗତ ମେ ୨୯ରେ ଆୟୋଜିତ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବରେ ମୋହର ବାଜିଥିଲା । ଏକାମ୍ର କ୍ଷେତ୍ରର ବିକାଶ, ଭିସୁଟର ଉନ୍ନତୀକରଣ ପାଇଁ ଅର୍ଥ, ମୋ ଘର ଯୋଜନାକୁ କ୍ୟାବିନେଟର ମୋହର ମିଳିଥିଲା । ସେହିପରି ବେସରକାରୀ ଓ ଜୁନିଅର କଲେଜରେ ଲାଇବ୍ରେରୀ ଆଟେଣ୍ଡାଣ୍ଟ ପଦବୀକୁ ମଂଜୁରୀ ସହ ଓଡ଼ିଆ ସିନେମା ଡେଲିଭରୀ ବୟ ଏବଂ ଜ୍ବିଗାଟୋକୁ କର ମୁକ୍ତ ନିଷ୍ପତ୍ତିକୁ କ୍ୟାବିନେଟ ଅନୁମୋଦନ କରିଥିଲା ।