ସରକାରୀ ଚାକିରି ପାଇଁ ଧାଇଁ ଧାଇଁ ଅତିଷ୍ଠ ସୁଶାନ୍ତ

ଭୁବନେଶ୍ୱର/ସରୋଜ ରାଉତ: ସରକାରୀ ଚାକିରି ପାଇଁ ବର୍ଷା, ଖରା, ଶୀତରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ନିକଟକୁ ଧାଇଁ ଧାଇଁ ଥକିଗଲେଣି । କିନ୍ତୁ ଚାକିରି ମିଳୁନି । ଘର ଖଣ୍ଡିଏ ନାହିଁ, ପିଲା ତମ୍ବୁ ତଳେ ଗାଁରେ ପଡିରହିଥିବା ବେଳେ ରାଜଧାନୀରେ ଏ ଅଫିସରରୁ ସେ ଅଫିସକୁ ଦୌଡୁଛନ୍ତି ସୁଶାନ୍ତ ନାୟକ । ସୁଶାନ୍ତ ଭିକରେ ଚାକିରି ମାଗୁ ନାହାନ୍ତି । ଏହା ତାଙ୍କ ପ୍ରାପ୍ୟ । ସରକାରୀ ନିୟମ ଅନୁଯାୟୀ ବାପାଙ୍କ ଚାକିରିରେ ତାଙ୍କୁ ଥଇଥାନ କରିବାକୁ ରହିଛି ସମସ୍ତ କାଗଜପତ୍ର । ହେଲେ ୨୩ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କୁ ମିଳୁନି ଚାକିରି ।

କଟକ ବଡମ୍ବାର ସୁଶାନ୍ତ ନାୟକଙ୍କ ବାପା ଏସସିବିରେ ସ୍ଥାୟୀ ଝାଡୁଦାର ଭାବେ କାମ କରୁଥିଲେ । କିନ୍ତୁ ୧୯୯୬ରେ ହଠାତ୍ ସେ ରୋଗରେ ଆକ୍ରାନ୍ତ ହେଲେ । ତେଣୁ ତାଙ୍କ ଜାଗାରେ ପୁଅ ସୁଶାନ୍ତଙ୍କୁ ରଖେଇବାକୁ ଏକ ଦରଖାସ୍ତ କରିଥିଲେ ସିଡିଏମଓଙ୍କୁ । ସିଡିଏମଓ ଦରଖାସ୍ତ ରଖିଲେ ଓ ତାଙ୍କୁ ୧୯୯୭ରେ ଚାକିରି ମିଳିବା କଥା । କିନ୍ତୁ ଏପର୍ଯ୍ୟନ୍ତ ସୁଶାନ୍ତଙ୍କୁ ମିଳୁନି ଚାକିରି । ଭୁବନେଶ୍ୱର ଦୌଡି ଦୌଡି ଅତିଷ୍ଠ ହୋଇପଡିଥିବା ସୁଶାନ୍ତ ସରକାରୀ କଳର ଦୁର୍ନୀତିକୁ ନେଇ ତାଙ୍କ ଚାକିରି ଆଉ କାହାକୁ ବିକ୍ରି କରିଦିଆଯାଇଥିବା ଅଭିଯୋଗ କରୁଛନ୍ତି ।