ମଣିପୁର ହିଂସାକୁ ନେଇ ସଂସଦରେ ମୁହାଁମୁହିଁ ହେଲେ ସରକାର ଓ ବିରୋଧୀ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ହିଁ ମଣିପୁର ହିଂସାକୁ ନେଇ ସରକାର ଏବଂ ବିରୋଧୀ ମୁହାଁମୁହିଁ। ଏହି କାରଣରୁ ଉଭୟ ଗୃହର ପ୍ରକ୍ରିୟା ଆସନ୍ତାକାଲି ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହାରି ଭିତରେ ସଂସଦର ଉଭୟ ଗୃହରେ ପ୍ରବଳ ହୋ ହଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରବଳ ଉତ୍ତେଜନା କାରଣରୁ ଆସନ୍ତାକାଲି ପର୍ୟ୍ୟନ୍ତ ଲୋକସଭା ଓ ରାଜ୍ୟସଭା ସ୍ଥଗିତ ରଖାଯାଇଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ପର୍ୟ୍ୟନ୍ତ ଲୋକସଭାକୁ ସ୍ଥଗିତ ରଖାଯାଇଛି।
ସୂଚନା ଅନୁଯାୟୀ: ସଂସଦର ମୌସୁମୀ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି । ରାଜ୍ୟସଭା ଓ ଲୋକସଭାରେ ଦିନ ୧୧ ଟା ବେଳେ ବୈଠକ ଆରମ୍ଭ ହୋଇଥିଲା । ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭାର ସଭାପତି ଜଗଦୀପ ଧନଖଡ ପ୍ରଥମେ ନୂଆ ସଦସ୍ୟମାନଙ୍କୁ ଶପଥ ପାଠ କରାଇଥିଲେ । ଏହାପରେ ଉଭୟ ସଦନରେ ଦିବଗଂତ ସଦସ୍ୟମାନଙ୍କୁ ସମ୍ମାନ ଜଣାଇ ନିରବ ପ୍ରାର୍ଥନା କରିଥିଲେ ସଦସ୍ୟମାନେ ।ଏହାପରେ ପ୍ରଥମ ଆଲୋଚନା ପରିସରକୁ ଆସିଥିଲା ମଣିପୁରରେ ଘଟିଥିବା ଲଜ୍ଜାଜନକ ଘଟଣା । ବିରୋଧୀଦଳମାନେ ମଣିପୁର ଘଟଣା ଉପରେ ସଂସଦରେ ପ୍ରଧାନମନ୍ତ୍ରୀ ବୟାନ ରଖନ୍ତୁ ବୋଲି ଦାବି କରିଥିଲେ । ଏହାକୁ ନେଇ କେନ୍ଦ୍ରୀୟ ସଂସଦୀୟ କାର୍ୟ୍ୟ ମନ୍ତ୍ରୀ ପହ୍ଲାଦ ଜୋଶୀ କହିଥିଲେ କି ମଣିପୁର ଘଟଣାକୁ ନେଇ ସରକାର ସଂସଦରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ ସରକାରଙ୍କ ତରଫରୁ ସଂସଦରେ ମଣିପୁର ଘଟଣାକୁ ନେଇ କେହି ନା କେହି ବୟାନ ଜବାବ ଦେବେ ।