ଗଜପତି : ଗଜପତି ଜିଲ୍ଲା ଗୋଷାଣି ପଞ୍ଚାୟତ ସମିତି ପକ୍ଷରୁ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉତ୍ସବ ଆଜି ଗାରବନ୍ଧ ସ୍ଥିତ ଶ୍ରୀ ଭେଙ୍କେଟେଶ୍ବର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଖେଳପଡିଆ ଠାରେ ଶୁଭ ଉଦ୍ଘାଟନ ହୋଇଯାଇଅଛି । ଏହି କ୍ରୀଡା ଉତ୍ସବକୁ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସଭାପତିତ୍ବ କରିଥିଲେ ଗୋଷାଣି ପଞ୍ଚାୟତ ସମିତି ଅଧକ୍ଷ ଏନ୍.ବୀରରାଜୁ । ସମ୍ମାନିତ ଅତିଥିଭାବେ ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା, ପଞ୍ଚାୟତ ସମିତିର ଉପାଧ୍ୟକ୍ଷା ଏସ୍.ଅନୁସୂୟା ଦେବୀ, ଜିଲ୍ଲାପରିଷଦ ସଭ୍ୟ ଏସ୍.ବାଲାରାଜୁ, ଶ୍ରୀ ଭେଙ୍କେଟେଶ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି.ତିରୁମଲା ରାଓ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଯୁବ କ୍ରୀଡ଼ା ଉତ୍ସବ ଚଳିତ ମାସ ୮ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଦୁଇ ଗୋଟି ସ୍ଥାନ ଯଥା ଶ୍ରୀ ଭେଙ୍କେଟେଶ୍ବର ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଏବଂ ଗୁରାଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଅନୁଷ୍ଠିତ ହେଉଅଛି । ଏହି କ୍ରୀଡ଼ା ଉତ୍ସବରେ ଗୋଷାଣି ବ୍ଲକାଞ୍ଚଳର ୧୩ ବର୍ଷ ରୁ ୩୫ ବର୍ଷ ବୟସର ନାମ ପଞ୍ଜୀକରଣ କରିଥିବା ସମସ୍ତ କ୍ରୀଡାବିତ୍ ଓ ଛାତ୍ରଛାତ୍ରୀ ମାନେ ଭାଗ ନେଇ ଥିବାର ଜଣାପଡିଛି । ଏହି କ୍ରୀଡା ପ୍ରତିଯୋଗିତାରେ କ୍ରିକେଟ୍, ଫୁଟବଲ, ହକି, କବାଡି, ଖୋ-ଖୋ ଓ ଭଲିବଲ୍ ଇତ୍ୟାଦି ଖେଳ ଅନୁଷ୍ଠିତ ହେବ । ଆଜି ପ୍ରଥମ ଦିବସରେ ଭଲି, ଖୋ-ଖୋ ଆଦି ଖେଳ ଆରମ୍ଭ ହୋଇଛି । ଏହାକୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ରାଓ ଏବଂ ବ୍ଲକ ଅଧ୍ୟକ୍ଷ ଏନ୍.ବୀର ରାଜୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଓ ଏପରି କ୍ରୀଡା ପ୍ରତିଯୋଗିତାର ଆୟୋଜନକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦ୍ୟମକୁ ପ୍ରଶଂସା କରିବା ସହ ଯୁବସମାଜ ପାଠ ପଢା ସହ ଖେଳକୁଦ ପ୍ରତି ଆଗ୍ରହ ରଖି କ୍ରୀଡାବିତ ଭାବେ ପ୍ରତିପାଦନ କରିବା ଉଚିତ ବୋଲି କହିଥିଲେ । ଏହି ସମସ୍ତ ପ୍ରତିଯୋଗୀତାରେ ବ୍ଲକର ୨୦୫ କ୍ରୀଡାଦଳର ପଞ୍ଜିକୃତ ପ୍ରାୟ ୩୦୦୦ କ୍ରୀଡା ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିବେ । ଆଜିର ଏହି ଉତ୍ସବରେ ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଗୋଷାଣି ବିଡିଓ ଅଜୟ କୁମାର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହେଉଥିବା ବେଳେ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ବିନୋଦ ଗୌଡ, ଜିବୀକା ମିଶନର ବିପିଏମ୍ ସିଏଚ୍. ତିରୁପତି, ମିଶନଶକ୍ତିର ବ୍ଲକ ସଂଯୋଜକ ଲାବାଣ୍ୟ ରଇତ, ପ୍ରମୁଖ ପରିଚାଳନାରେ ସହଯୋଗ କରୁଛନ୍ତି । ସେହପିର କ୍ରୀଡା ପ୍ରତିଯୋଗିତା ଲାଗି ଗୋଷାଣି ପଞ୍ଚାୟତ ସମିତିର ଏକୋଶି ଜଣ କ୍ରୀଡା ଶିକ୍ଷକ ଉପସ୍ଥିତ ରହି ପରିଚାଳନା କରୁଥିବାର ଜଣାପଡିଛି ।