ଡିଏସ୍‌ପି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କୁ “ଗୁଡ୍ ସମାରିଟାନ୍ ଆୱାର୍ଡ଼”

“ଶୂନ୍ୟ ମୃତ୍ୟୁ ସପ୍ତାହ” ପାଳନ ଉପଲକ୍ଷେ ବୈଠକ

କେନ୍ଦ୍ରାପଡ଼ା : ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ “ଶୂନ୍ୟ ମୃତ୍ୟୁ ସପ୍ତାହ” ପାଳନ ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଅପରାହ୍ଣ ୫ଘଟିକା ସମୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ଏ ବର୍ଷ ଡିସେମ୍ବର ୧ ତାରିଖଠାରୁ ୭ତାରିଖ ପର୍ଯ୍ୟନ୍ତ “ଶୂନ୍ୟ ମୃତ୍ୟୁ ସପ୍ତାହ” ପାଳନ କରାଯିବ । ଏହି ସପ୍ତାହରେ ଶୂନ୍ୟ ମୃତ୍ୟୁକୁ ସରକାର ଟାର୍ଗେଟ୍ ରଖି ସଡ଼କ ସୁରକ୍ଷା ନିମନ୍ତେ ବିଭିନ୍ନ ବିଭାଗ ପାଇଁ ଏସ୍‌ଓପି ଜାରି କରିଛନ୍ତି ।

ସର୍ବେକ୍ଷଣରୁ ଜଣାଯାଇଛି ଯେ, ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ୪୮ ହଜାରରୁ ଅଧିକ ଲୋକଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି । ଏ ବର୍ଷ ଜାନୁଆରୀଠାରୁ ସେପ୍ଟେମ୍ବର ମାସ ମଧ୍ୟରେ ବିଗତ ବର୍ଷ ତୁଳନାରେ ୪.୯ ପ୍ରତିଶତ ଅଧିକ ମୃତ୍ୟୁହାର ଘଟିଛି । ଫଳରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ “ଶୂନ୍ୟ ମୃତ୍ୟୁ ସପ୍ତାହ” ପାଳନ କରିବାକୁ ଯାଉଛନ୍ତି ।

 

ଯେଉଁମାନେ ମଦ୍ୟପାନ କରି, ବିନା ହେଲ୍‌ମେଟ୍‌ରେ, ବିନା ଡ୍ରାଇଭିଙ୍ଗ୍ ଲାଇସେନ୍ସରେ ଏବଂ ଅଳ୍ପ ବୟସରୁ ଗାଡ଼ି ଚଳାଇବେ ସେମାନଙ୍କଠୁ ଫାଇନ୍ ଆଦାୟ ସହ ଡ୍ରାଇଭିଙ୍ଗ୍ ଲାଇସେନ୍ସ ରଦ୍ଦ କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପରିବହନ ଅଧିକାରୀ ଓ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣା ଘଟୁଥିବା ସ୍ଥାନମାନଙ୍କରେ ସୂଚନା ଫଳକ ପ୍ରଦର୍ଶନ, ଅନଧିକାର ପାର୍କିଂ, ରାସ୍ତା ଉପରେ ଜମାଥିବା ଗୋଡ଼ି,ବାଲି, ସିମେଂଟ୍ ହଟାଇବା ଓ ଟ୍ରାଫିକ୍ ନିୟମକୁ କଡ଼ାକଡ଼ିଭାବେ ପାଳନ କରିବାକୁ ସମ୍ପୃକ୍ତ ଅଧିକାରୀମାନେ ଗୁରୁତ୍ୱ ଦେବେ ବୋଲି ମତବ୍ୟକ୍ତ କରିଥିଲେ ।

ମୃତ୍ୟୁ ହାରକୁ କମାଇବା ପାଇଁ ହାଇୱେ ପେଟ୍ରୋଲିଂ, ଆମ୍ବୁଲାନ୍ସ ମୁତୟନ, ରାସ୍ତା ଉପରେ ବୁଲୁଥିବା ପଶୁମାନଙ୍କୁ ହଟାଇବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ ସଚେତନତା ଶୋଭାଯାତ୍ରା ଓ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଜିଲ୍ଲା ପରିବହନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏ ବର୍ଷ ଜାନୁଆରୀଠାରୁ ନଭେମ୍ବର ମାସ ମଧ୍ୟରେ ୭ଜଣଙ୍କୁ “ଗୁଡ୍ ସମାରିଟାନ୍ ଆୱାର୍ଡ଼” ପ୍ରଦାନ କରାଯାଇଛି ।

ବୈଠକରେ ବିପିସିଏଲ୍ ପେଟ୍ରୋଲ୍ ଟାଙ୍କି ଜଜାଙ୍ଗଠାରେ ଅଙ୍ଗୁଳାଇର ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତଙ୍କୁ ଦୁର୍ଘଟଣା ଘଟିବାର ଗୋଲ୍‌ଡେନ୍ ଆୱାର୍ ମଧ୍ୟରେ ଉଦ୍ଧାର କରି ଡାକ୍ତରଖାନା ପହଂଚାଇଥିବା କେନ୍ଦ୍ରାପଡ଼ା ଡିଏସ୍‌ପି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କୁ ଅତିରିକ୍ତ ଜିଲ୍ଲାପାଳ “ଗୁଡ୍ ସମାରିଟାନ୍ ଆୱାର୍ଡ଼”ସ୍ୱରୂପ ୨ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଜିଲ୍ଲାରେ ରୋଡ୍ ସେଫଟି ପାଇଁ ଏକ ହ୍ୱାଟ୍‌ସଆପ୍ ଗ୍ରୁପ୍ ଗଠନ କରିବାକୁ ନିଷ୍ପତି ନିଆଯାଇଛି ।

ପ୍ରାରମ୍ଭରେ ଜିଲ୍ଲା ପରିବହନ ଅଧିକାରୀ ଧୀରେନ୍ଦ୍ର କୁମାର ନାୟକ “ଶୂନ୍ୟ ମୃତ୍ୟୁ ସପ୍ତାହ” ପାଳନର ଆଭିମୁଖ୍ୟ ଓ ରୋଡ୍ ସେଫ୍‌ଟି ପାଇଁ ନିଆଯାଉଥିବା ବିଭାଗୀୟ ପଦକ୍ଷେପ ବିଷୟରେ ବୈଠକକୁ ଅବଗତ କରାଇଥିଲେ । ଏହି ବୈଠକରେ ଆର୍‌ଆଣ୍ଡବି-୧ର ସହକାରୀ ନିର୍ବାହୀ ଯନ୍ତ୍ରୀ ଆଜାମୁଦ୍ଦିନ୍ ଖାନ ଓ ସଞ୍ଜୟ କୁମାର ସାହୁ, ଆର୍‌ଆଣ୍ଡବି-୨ର ଦୈତାରୀ ଟୁଡୁ, ଏନ୍‌ଏଚ୍‌ଏଆଇର ପିଭିଏସ୍‌ବି ସେନ୍‌, ଗ୍ରାମ୍ୟ ଉନ୍ନୟନର ଜେଇ କୁମାରନାଥ ରାୟ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲ୍ଲା ପରିବହନ ବିଭାଗର ସେକ୍ସନ୍ ଅଫିସର୍ ପ୍ରଭାକର ରାଉତ, ଆର୍‌ଆଣ୍ଡ୍‌ବି-୧ର ସେକ୍ସନ୍ ଅଫିସର୍ ନିହାର ରଞ୍ଜନ ବଳ ପ୍ରମୂଖ ଉପସ୍ଥିତ ଥିଲେ ।