ଓଡିଶା ପାଇଁ ଖୁସି ଖବର; ଏଥର କଳାହାଣ୍ଡିରୁ ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ୱର : ଓଡିଶା ପାଇଁ ଖୁସି ଖବର, ଖୁବଶିଘ୍ର ରାଜ୍ୟର ଆଉ ଏକ ବିମାନ ବନ୍ଦରରୁ ଉଡିବ ବିମାନ । ଏହା ନେଇ ଡିଜିସିଏ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । କଳାହାଣ୍ଡିର ଉତକେଲା ବିମାନ ବନ୍ଦରରୁ ବିମାନ ଉଡାଣ ଭରିବ । ଗତମାସରେ ଡିଜିସିଏ ଟିମ୍ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଆଜି ଅନୁମତି ପ୍ରଦାନ କରିଛି।ଏ ନେଇ ରାଜ୍ୟ ସରକାର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଟ୍ୱିଟ ଖୁସି ପ୍ରକାଶ କରିଛନ୍ତି । ଖୁବଶିଘ୍ର ଭବାନୀପାଟଣାରୁ ଭୁବନେଶ୍ୱରକୁ ବିମାନ ଉଡ଼ିବ ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି। କଳାହାଣ୍ଡିର ଉତକେଲା ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହେବା ପରେ ରାଜ୍ୟର ଯୋଗାଯୋଗ, ବାଣିଜ୍ୟ ଓ ପର୍ୟ୍ୟଟନ କ୍ଷେତ୍ର ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ରାଜ୍ୟରେ ବାଣିଜ୍ୟ ବ୍ୟବସ୍ଥାକୁ ଦୃଢ କରିବାକୁ ହେଲେ ବିମାନ ସେବାର ଗୁରୁତ୍ୱ ଅଧିକ ରହିଛି । ରାଜ୍ୟ ଭିତରେ ଓ ଆନ୍ତଃରାଜ୍ୟ ବିମାନ ଚଳାଚଳ ସହ ଅନ୍ତର୍ଜାତୀୟ ଉଡ଼ାଣକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାକୁ ପଡ଼ୋଶୀ ରାଜ୍ୟର ବାଣିଜ୍ୟିକ ପ୍ରବେଶ ପଥ ବୋଲି କୁହାଯାଏ। ବାଣିଜ୍ୟିକ ପରିବେଶ ତଥା ମାଓ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ସୁରକ୍ଷିତ ପରିବହନ ନିମନ୍ତେ ଜୟପୁର ଏବଂ ଉତକେଲା ବେଶ୍ ଗୁରୁତ୍ୱବହନ କରିଥାଏ। ଏଠାରୁ ବିମାନ ସେବା ଆରମ୍ଭ ହେବା ନା କେବଳ ସ୍ଥାନୀୟ ଲୋକ ବରଂ ସମଗ୍ର ରାଜ୍ୟ ପାଇଁ ଉପାଦେୟ ସାବ୍ୟସ୍ତ ହେବ। ପୂର୍ବରୁ ଜୟପୁରରୁ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଏବେ ଉତକେଲା ବିମାନ ବନ୍ଦରରୁ ବିମାନ ଉଡାଣ କରିବା କଳାହାଣ୍ଡି ଜିଲ୍ଲାବାସୀଙ୍କ ସହ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର।