ଉଦଳା/ଦୀପକ ମିଶ୍ର : ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ବେକରୁ ଝାମ୍ପି ନେଲେ ଲକ୍ଷାଧିକ ଟଙ୍କାର ସୁନାଚେନ | ଉଦଳା ଥାନା ଏନଏସି ୧ ନମ୍ବର ୱାର୍ଡରେ ଘଟିଛି ଏଭଳି ଘଟଣା | ଆଜି ମଧ୍ୟାହ୍ନରେ ରୀନାରାଣୀ ସେଠି ଉଦଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସାମ୍ନା ରାସ୍ତାରେ ଚାଲି ଚାଲି ଯାଉଥିଲେ | ଏହି ସମୟରେ ୩ ଜଣ ଯୁବକ ବାଇକରେ ଆସି ତାଙ୍କୁ ଏକ ମୋବାଇଲ ନମ୍ବର ବାବଦରେ ପଚାରିଲେ | ରୀନାରାଣୀ କିଛି କହିବା ପୂର୍ବରୁ ଜଣେ ଦୁର୍ବୃତ୍ତ ସେ ବେକରେ ପିନ୍ଧିଥିବା ଲକ୍ଷାଧିକ ଟଙ୍କାର ସୁନାଚେନ ଛିଣ୍ଡାଇ ନେଇ ଗାଡିରେ ବସି ଫେରାର ହୋଇଯାଇଥିଲେ |
ଦୁର୍ବୃତ୍ତ ଲୁଟିନେଇଥିବା ସୁନାଚେନର ମୂଲ୍ୟ ଏକ ଲକ୍ଷରୁ ଅଧିକ ହେବ ବୋଲି କହିଛନ୍ତି ରୀନାରାଣୀ | ଦୁର୍ବୃତ୍ତ ମାନେ ଗୋଟିଏ ଗାଡିରେ ଆସି ୩ ଜଣ ଆସି ଲୁଟ କରିଥିବା ବେଳେ ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | କିଛି ଦିନ ପୂର୍ବରୁ ମଧ୍ୟ କପ୍ତିପଦା ଥାନା ଅଞ୍ଚଳରେ ଦୁଇ ଜଣ ଶିକ୍ଷୟିତ୍ରୀଙ୍କ ନିକଟରୁ ସୁନାଚେନ ଲୁଟ ହୋଇଥିଲା | ତେଣୁ ଲୁଟେରା ମାନେ ପୋଲିସକୁ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇ ଚାଲିଛନ୍ତି |