ଆସନ୍ତା ଜୁନ ୨୨ ତାରିଖ ପର୍ଯ୍ୟନ୍ତ ବିମାନ ଉଡାଣ ବାତିଲ କରିଛି ଗୋ ଫାଷ୍ଟ କମ୍ପାନୀ । କମ୍ପାନୀ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ବିମାନ ଉଡାଣର ତାରିଖ ବାତିଲ କରିବାରେ ଲାଗିଛି । କମ୍ପାନି ଏକ ବିବୃତ୍ତି ରେ କହିଛି ଯେ ପରିଚାଳନା ସମସ୍ୟା କାରଣରୁ ଏହି ନିଷ୍ପତ୍ତି ନେବାକୁ ପଡିଛି । ବିମାନ ବାତିଲ ହେତୁ ଘଟିଥିବା ଅସୁବିଧା ପାଇଁ ଆମେ କ୍ଷମା ମାଗୁଛୁ। ଆମେ ବୁଝିପାରୁଛୁ ଯେ ବିମାନ ବାତିଲ ହେତୁ ଆପଣଙ୍କର ଯାତ୍ରା ଯୋଜନା ପ୍ରଭାବିତ ହୋଇଥାଇପାରେ । ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। କମ୍ପାନୀ ଆହୁରି ମଧ୍ୟ କହିଛି ଯେ ବିମାନଗୁଡିକ ସୁରୁଖୁରୁରେ ଚଳାଇବା ପାଇଁ ଆମେ ଉଦ୍ୟମ କରିଆସୁଛୁ । ଗୋଫାଷ୍ଟ ଆଗରୁ ମଧ୍ୟ ଏପରି ବିମାନ ବାତିଲ କରିଛି । ଏପରି ନଷ୍ପତ୍ତି କମ୍ପାନିକୁ ବାରମ୍ବାର ନେବାକୁ ପଡୁଛି । ଏହାପୂର୍ବରୁ ଗୋ ଫାଷ୍ଟ ଜୁନ୍ ୧୯ ତାରିଖ ପର୍ଯ୍ୟନ୍ତ ବିମାନ ବାତିଲ ବିଷୟରେ ସୂଚନା ଦେଇଥିଲା ଏବଂ ସେତେବେଳେ ମଧ୍ୟ କମ୍ପାନୀ ସମାନ କାରଣ ଦର୍ଶାଇଥିଲା। ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ଗତ ମେ’ ୩ ପରଠାରୁ କମ୍ପାନୀ ର ଉଡ଼ାଣ ବନ୍ଦ ରହିଛି। ଗୋ ଫାଷ୍ଟ ନଭେମ୍ବର ୨୦୦୫ରେ ମୁମ୍ବାଇରୁ ଅହମ୍ମଦାବାଦକୁ ଏହାର ପ୍ରଥମ ବିମାନ ଚଳାଚଳ ଆରମ୍ଭ କରିଥିଲା ।