Gen-Z ପ୍ରଭାବ: ୪ ବର୍ଷରେ ମଦ୍ୟପାନରେ ୭୪.୯୨ ଲକ୍ଷ କୋଟି ଟଙ୍କାର କ୍ଷତି

ଭୁବନେଶ୍ଵର: ଗତ ଚାରି ବର୍ଷ ମଧ୍ୟରେ ବିଶ୍ୱ ମଦ ଶିଳ୍ପକୁ ବଡ଼ କ୍ଷତି ସହିବାକୁ ପଡିଛି । ଆନୁମାନିକ ଭାବେ ୭୪.୯୨ ଲକ୍ଷ କୋଟି ଟଙ୍କାର ବ୍ୟବସାୟିକ କ୍ଷତି ହୋଇଥିବାବେଳେ, ଏହାର ପଛରେ Gen-Z ପିଢ଼ିକୁ ପ୍ରମୁଖ କାରଣ ଭାବେ ଦେଖାଯାଉଛି। ପୂର୍ବ ପିଢ଼ିମାନଙ୍କଠାରୁ ଭିନ୍ନ ଭାବେ Gen-Z ଯୁବପିଢ଼ି ମଦପାନ ଅପେକ୍ଷା ଶାରୀରିକ ସ୍ୱାସ୍ଥ୍ୟ, ମାନସିକ ସୁସ୍ଥତା ଓ ସୁସ୍ଥ ଜୀବନଶୈଳୀକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅନେକେ ଲୋ-ଆଲକୋହଲ୍, ନୋ-ଆଲକୋହଲ୍ ପାନୀୟ, ମକଟେଲ୍ ବା ସମ୍ପୂର୍ଣ୍ଣ ଭାବେ ମଦ ଛାଡ଼ିବାକୁ ଆଗ୍ରହୀ ହେଉଛନ୍ତି।

ଏହି ପରିବର୍ତ୍ତିତ ପସନ୍ଦର ପ୍ରଭାବରେ ବିୟର୍, ୱାଇନ୍ ଓ ସ୍ପିରିଟ୍ସର ବିକ୍ରି ହ୍ରାସ ପାଇଛି। ବଡ଼ ବଡ଼ ଆନ୍ତର୍ଜାତୀୟ ମଦ କମ୍ପାନୀମାନେ ଏବେ ଯୁବ ଗ୍ରାହକଙ୍କ ସହ କିପରି ସଂଯୋଗ ସ୍ଥାପନ କରିବେ, ସେଥିପାଇଁ ନୂଆ ଯୋଜନା ତିଆରି କରୁଛନ୍ତି। ଏହାର ସହ ପାଖାପାଖି ନନ୍-ଆଲକୋହଲିକ୍ ଓ ଜିରୋ-ପ୍ରୁଫ୍ ପାନୀୟ ବଜାର ଦ୍ରୁତ ଗତିରେ ବଢ଼ୁଛି ଏବଂ ସବୁଠାରୁ ଦ୍ରୁତ ବିକାଶଶୀଳ ସେକ୍ଟର୍ ଭାବେ ଉଭା ହେଉଛି। ବିଶେଷଜ୍ଞମାନଙ୍କ ମତାନୁସାରେ, ଏହା କୌଣସି ଅସ୍ଥାୟୀ ଟ୍ରେଣ୍ଡ ନୁହେଁ; ବରଂ ମୂଲ୍ୟବୋଧରେ ହେଉଥିବା ଦୀର୍ଘମିଆଦି ପରିବର୍ତ୍ତନ।