ଗ୍ୟାସ ଦର ୧୬୦ ଟଙ୍କା କମିଲା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ଗୁଡ଼ିକ ଚଳିତମାସରେ ଏଲ୍ପିଜି ଦର ସିଲିଣ୍ଡର ପିଛା ୧୬୦ ଟଙ୍କାରୁ ଅଧିକ ହ୍ରାସ ଘୋଷଣା କରିଛନ୍ତି। ଏଥିଯୋଗୁ ଦିଲ୍ଲୀରେ ୧୪.୨ କିଗ୍ରା ବିଶିଷ୍ଟ ଏଲ୍ପିଜି ଦର ପୂର୍ବରୁ ୭୪୪ ଟଙ୍କା ଥିବାବେଳେ ଏବେ ଏହା ୫୮୧ ଟଙ୍କା ୫୦ ପଇସାକୁ ହ୍ରାସ ପାଇଛି। ମୁମ୍ବାଇରେ ପୂର୍ବରୁ ଏଲ୍ପିଜି ଦର ୭୧୪ ଟଙ୍କା ୫୦ ପଇସା ଥିବାବେଳେ ଏବେ ୫୭୯ ଟଙ୍କାକୁ କମିଛି। କମ୍ପାନି ଗୁଡ଼ିକ କ୍ରମାଗତଭାବେ ତୃତୀୟ ମାସ ପାଇଁ ଏଲ୍ପିଜି ଦର କମାଇଛନ୍ତି। ଏଥିଯୋଗୁଁ ଗ୍ରାହକଙ୍କୁ ରିହାତି ମିଳିଛି। କମ୍ପାନି ଗୁଡ଼ିକ ପ୍ରତିମାସ ପହିଲାରେ ଏଲ୍ପିଜି ଦର ସଂଶୋଧନ କରିଆସୁଛନ୍ତି। ଗ୍ରାହକମାନେ ବର୍ଷକୁ ୧୨ଟି ଏଲ୍ପିଜି ସିଲିଣ୍ଡର୍ ରିହାତି ମୂଲ୍ୟରେ ପାଇଥାନ୍ତି। ପ୍ରଥମେ ସେମାନେ ପୂରା ମୂଲ୍ୟ ଦେଇ ଏଲ୍ପିଜି କିଣିଲେ ମଧ୍ୟ ପରେ ସେମାନଙ୍କ ଖାତାକୁ ସବ୍ସିଡି ବାବଦ ଅର୍ଥ ଆସିଥାଏ। କିନ୍ତୁ ୧୨ଟିରୁ ଅଧିକ କିଣିଲେ ସେମାନଙ୍କୁ ସମ୍ପୂର୍ଣ୍ଣ ବଜାର ମୂଲ୍ୟ ଦେବାକୁ ପଡ଼ିଥାଏ।