ଗାନ୍ଧୀ ଷ୍ଟାଡିୟମରେ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ଜିଲ୍ଲାର ଲୁକାୟିତ କ୍ରୀଡା ପ୍ରତିଭାଙ୍କ ନିମନ୍ତେ ଉଜ୍ଜଳ ଭବିଷ୍ୟତ

ସୁବର୍ଣ୍ଣପୁର : ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ କରକମଳରେ ଉଦଘାଟିତ ହୋଇଛି କାର୍ଯ୍ୟକ୍ରମ ।

ଜିଲ୍ଲା କ୍ରୀଡା ଅଧିକାରୀ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆଜି ଜିଲ୍ଲାର ଉଲୁଣ୍ଡା, ଡୁଙ୍ଗୁରିପାଲି ଓ ବୀରମହାରାଜପୁର ବ୍ଲକର ୧0ରୁ ୧୫ ବର୍ଷ ପର୍ଯ୍ୟନ୍ତ ବାଳକ ୯୮ ଓ ବାଳିକା ୩୯, ମୋଟ ୧୩୭ ଜଣ କ୍ରୀଡାପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ । ଆସନ୍ତା କାଲି ଅନ୍ୟ ୩ଟି ବ୍ଲକ ଏବଂ ସୋନପୁର ମ୍ୟୁନିସିପାଲିଟି  ସହ ବିନିକା ଓ ତରଭା ଏନଏସିର କ୍ରୀଡା ପ୍ରତିଭାଗୀ ବାଳକ ବାଳିକା ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ଜିଲ୍ଲାର ଲୁକାୟିତ କ୍ରୀଡା ପ୍ରତିଭା ଅନ୍ୱେଷଣକୁ ସ୍ୱଚ୍ଛ, ବ୍ୟବସ୍ଥିତ ଓ ସଠିକ ଭାବରେ ପରିଚାଳନା କରିବା ନିମନ୍ତେ ଜିଲ୍ଲାର ବିଭିନ୍ନ ୬ଜଣ ପ୍ରତିଭା ସମ୍ପନ୍ନ ଖେଳ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାରେ ଲୁଚିରହିଥିବା କ୍ରୀଡା ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ସହିତ ସେମାନଙ୍କୁ ସେମାନଙ୍କ ପ୍ରିୟ କ୍ରୀଡାରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ନିମନ୍ତେ ଏକ ନିଶ୍ଚିତ ଭିତିଭୂମି ପ୍ରଦାନ କରି ଆଗାମୀ ଦିନରେ  ଏକ ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ପରିଚିତ କରିବା ଲକ୍ଷ୍ୟ ରହିଥିବା ଜିଲ୍ଲା କ୍ରୀଡା ଅଧିକାରୀ ଡ଼ଃ ମିଶ୍ର ପ୍ରକାଶ କରିଛନ୍ତି ।