ସନାତନ ଧର୍ମ ନାଁରେ ଯାହା ସେମାନେ ପ୍ରଚାର କହୁଛନ୍ତି, ବାସ୍ତବରେ ତାହା ଅପପ୍ରଚାର: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଇସ୍କନ ପକ୍ଷରୁ ହେଉଥିବା ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପ୍ରେସମିଟ୍‌ । ଅଦିନିଆ ରଥଯାତ୍ରାକୁ ନାପସନ୍ଦ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପରମ୍ପରା ଭଙ୍ଗ କରି ଇସ୍କନ ପକ୍ଷରୁ ସ୍ନାନ ଯାତ୍ରା ଓ ରଥଯାତ୍ରା କରାଯାଉଛି । ଇସ୍କନ ପକ୍ଷରୁ ସ୍ନାନ ଯାତ୍ରା ଓ ରଥଯାତ୍ରା ଶାସ୍ତ୍ର ଅନୁମୋଦିତ ନୁହେଁ । ଏନେଇ ଇସ୍କନ ମାୟାପୁରୀର ଶାସ୍ତ୍ର ବିଶେଷଜ୍ଞଙ୍କ ସହ ଆଲୋଚନା ହୋଇଛି । କେବଳ ଧାର୍ଯ୍ୟ ତିଥି ଅନୁସାରେ ସବୁ କିଛି ହେବା କଥା ନେଇ ସହମତି ହୋଇଛି । ଏହା ମଧ୍ୟ ଗତ ପରିଚାଳନା କମିଟି ବୈଠକରେ ଅନୁମୋଦିତ ହୋଇଛି । ଏସମ୍ପର୍କିତ ନିଷ୍ପତ୍ତି ଇସ୍କନ କର୍ତ୍ତୃପକ୍ଷଙ୍କ ନିକଟକୁ ଇ-ମେଲ୍‌/କୋରିଅରରେ ଯାଇଛି । ଅଦିନିଆ ରଥଯାତ୍ରାକୁ ଉପସ୍ଥିତ ଜଗନ୍ନାଥ ସସ୍କୃତି ବିଶାରଦ ମଧ୍ୟ ନାପସନ୍ଦ କଲେ । ଇସ୍କନ ପକ୍ଷରୁ ଦର୍ଶା ଯାଉଥିବା ସମସ୍ତ ଯୁକ୍ତିକୁ ଖଣ୍ଡନ କଲେ ସଂସ୍କୃତି ବିଶାରଦ । କାହାକୁ ଖୁସି କରିବା ପାଇଁ ଭିନ୍ନ ଭିନ୍ନ ସମୟରେ ରଥଯାତ୍ରା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଶ୍ରୀ ପାଢୀ ।

ସେ ଆହୁରି କହିଛନ୍ତି ଯେ, ସନାତନ ଧର୍ମ ନାଁରେ ଯାହା ସେମାନେ ପ୍ରଚାର କହୁଛନ୍ତି, ବାସ୍ତବରେ ତାହା ଅପପ୍ରଚାର । ଶାସ୍ତ୍ର ହେଉଛି ସାର୍ବଜନୀନ ପ୍ରୟୋଗ, ଏହାର ବ୍ୟତିକ୍ରମ ଠିକ୍‌ ନୁହେଁ । ଭିନ୍ନ ଭିନ୍ନ ତିଥିରେ ଯାତ୍ରା କଥା ଲେଖାଯାଇଛି, ମାତ୍ର ତାହା ରଥଯାତ୍ରା ନୁହେଁ । ରଥଯାତ୍ରା ହେଉଛି ଲୋକଙ୍କ ମଙ୍ଗଳ ପାଇଁ । ଅଦିନରେ କଲେ ଦୁର୍ବିପାକ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢୀ ।  ବିଧି ଅନୁଯାୟୀ ୧୧ ଜୁନ ରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିଲା ହେଲେ ଏହାର ପୂର୍ବରୁ ୧୮ ଥର ସ୍ନାନଯାତ୍ରା ଆୟୋଜିତ ହୋଇଛି । ସେହିଭଳି ରଥଯାତ୍ରା ବିଧି ଅନୁଯାୟୀ ୨୭ ଜୁନ ରେ ହେବା କଥା ହେଲେ ଚଳିତବର୍ଷ ଆମେରିକାରେ ମାର୍ଚ୍ଚ ୩୧ ରେ ଓ ରଥଯାତ୍ରା ପୂର୍ବରୁ ୩୫ ଜାଗାରେ ରଥଯାତ୍ରା ପାଳନ କରାଯାଇଛି । ଚଳିତବର୍ଷ ୨୭ ସେପ୍ଟେମ୍ବର ରେ ଆମେରିକାରେ ପୁଣି ରଥଯାତ୍ରା କରିବା ପାଇଁ ନିଷ୍ପତି ନିଆଯାଇଛି । ଏହାକୁ ଶ୍ରୀମନ୍ଦିର ପରିଚାଳନା କମିଟି ବିରୋଧ କରୁଛି । ଶାସ୍ତ୍ର ଓ ପରମ୍ପରାକୁ ଭଙ୍ଗ କରୁଛି ଇସ୍କନ ଏବଂ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଅବେଗକୁ କୁଠାରାଘାତ କରୁଛି ବୋଲି  କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ  ।

ସେପଟେ ଆଜି ଇସ୍କନର ଅଦିନିଆ ରଥଯାତ୍ରା ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜା କହିଛନ୍ତି, ମହାପ୍ରଭୁଙ୍କ ସବୁ ନୀତି ନିଜେ ମହାପ୍ରଭୁ ନିର୍ଦ୍ଧାରଣ କରିଛନ୍ତି । ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନେବୁ । ନୀତି ବିରୋଧୀ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ୧୦୦ ପୃଷ୍ଠାର ଏକ ପୂର୍ଣ୍ଣାଙ୍ଗ ଉତ୍ତର ଆଜି ଇସ୍କନକୁ ପ୍ରଦାନ କରାଯାଇଛି । ନୀତି ଅନୁଯାୟୀ ପରମ୍ପରାକୁ ପାଳନ କରିବା ପାଇଁ ଇସ୍କନକୁ ଏକ ମାସର ସମୟ ଦିଆଯାଇଛି । କିଛି ଦଶନ୍ଧୀ ହେବ ଶାସ୍ତ୍ରକୁ ଉଲଂଘନ କରି ଇସ୍କନ ପାଳନ କରିଛି ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ।