ଭୁବନେଶ୍ଵର: ଆଜି ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ଗୃହ କାର୍ଯ୍ୟରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଧାନସଭାରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି ରାଜ୍ୟପାଳ । ପ୍ରତିକୂଳ ପରିସ୍ଥିତିରୁ ଆସି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ଗଣତାନ୍ତ୍ରିକ ମୂଲ୍ୟବୋଧ ନେଇ ଆପଣଙ୍କ କାର୍ଯ୍ୟ ସ୍ମରଣୀୟ । ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ସମନ୍ବୟ ମଧ୍ୟ ତଥ୍ୟ ରଖିଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ ।

ସେହିପରି ରାଷ୍ଟ୍ରପତିଙ୍କୁ ଗୃହରେ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସଂଘର୍ଷମୟ ଜୀବନ ଓ ସଫଳତା ନେଇ ବଧେଇ ଜଣାଇଲେ । ସର୍ବୋଚ୍ଚ ଆସନରେ ବସି ଜନ୍ମଭୂମି ଓ କର୍ମଭୂମିକୁ ଭୁଲି ନାହାନ୍ତି । ବିଧାନସଭାରେ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ । ବିଧାୟିକା, ମନ୍ତ୍ରୀ, ରାଜ୍ୟପାଳ, ରାଷ୍ଟ୍ରପତି ଭାବେ କାର୍ଯ୍ୟ ଅନନ୍ୟ । ନିଜ ସରକାରଙ୍କ କାର୍ଯ୍ୟଧାରାକୁ ନେଇ ଅବଗତ କରାଇଲେ ମୁଖ୍ୟମନ୍ତ୍ରୀ । ଆପଣଙ୍କ ପରାମର୍ଶ ୨୦୩୬ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ବିଧାନସଭା ଗୃହରେ ରାଷ୍ଟ୍ରପତିଙ୍କୁ ବଧାଇ ଜଣାଇ ବିବୃତି ରଖିଲେ ବାଚସ୍ପତି । ରାଜନୈତିକ କ୍ୟାରିୟର ଓ ଅନ୍ୟାନ୍ୟ କାର୍ଯ୍ୟକୁ ମନେ ପକାଇଲେ । ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ ବୋଲି କହିଲେ ବାଚସ୍ପତି । ଆମ ପାଇଁ ଆଜି ଗର୍ବର ବିଷୟ କହିଲେ ବିରୋଧୀଦଳ ନେତା । ଓଡ଼ିଆ ଝିଅ ଭାବେ ସର୍ବୋଚ୍ଚ ଆସନରେ ବସିଥିବାରୁ ଗର୍ବିତ ବୋଲି କହିଛନ୍ତି ବାଚସ୍ପତି ।

ତେବେ ଗୃହରେ ଅଭିଭାଷଣ ଦେଇ ରାଷ୍ଟ୍ରପତି କହିଛନ୍ତି, ଆପଣଙ୍କ ଗହଣରେ ଉପସ୍ଥିତ ରହି ବହୁତ ଆନନ୍ଦିତ । ପୂର୍ବରୁ ଅନେକ ରାଜ୍ୟର ବିଧାନସଭାକୁ ସମ୍ବୋଧିତ କରିଛି । କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବା ନିଶ୍ଚିତ ନିଆରା । ଆଜି ମୁଁ ଯେଉଁଠି ଅଛି ତାହାର ଶ୍ରେୟ ଏହି ଗୃହର । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନ ଥିଲେ ଏଠି ପହଞ୍ଚି ପାରି ନ ଥାନ୍ତି । ଏହି ଗୃହରେ ବିଧାୟିକା ଭାବେ ପ୍ରଶ୍ନ ପଚାରିଛି । ଏହି ଗୃହରେ ମନ୍ତ୍ରୀ ଭାବେ ପ୍ରଶ୍ନର ଉତ୍ତର ଦେଇଛି । ଗ୍ୟାଲେରୀରେ ବସିଥିବା କିଛି ପୂର୍ବତନ ବିଧାୟକଙ୍କ ସହ କାମ କରିଛି । ଆଜି ମୁଁ ସେମାନଙ୍କୁ ପାଖରେ ପାଇ ଆବିଭୂତ । ଏହି କଳିଙ୍ଗ ଚଣ୍ଡାଶୋକ ଅଶୋକଙ୍କୁ ଧର୍ମାଶୋକ କରିଛି । ଐତିହାସିକ ନୌବାଣିଜ୍ୟ, ଇଂରେଜ ବିରୋଧୀ ଲଢ଼େଇରୁ ଶିକ୍ଷା ମିଳିଛି । ମହତାବ, ବିଜୁ ପଟ୍ଟାନୟକଙ୍କ ସମେତ ବହୁ ନିର୍ମାତାଙ୍କୁ ମନେପକାଇ ମହାମହିମ କହିଛନ୍ତି, ଓଡ଼ିଶା ବିଧାନସଭାରେ ନାରୀଙ୍କ ପ୍ରତିନିଧିତ୍ବ ବଢ଼ିଛି । ଆଜି ବିଧାନସଭାକୁ ଜଣେ ମହିଳା ବାଚସ୍ପତି ଚଳାଉଛନ୍ତି ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ବିଧାନସଭା ଏବଂ ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଓଡ଼ିଶା ସରକାରରେ ବାଣିଜ୍ୟ, ପରିବହନ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଥିବାବେଳେ ବିଧାନସଭାର ୧୧ ନମ୍ବର ପ୍ରକୋଷ୍ଠରେ ବସୁଥିଲେ । ଏହି ପ୍ରକୋଷ୍ଠରେ ରାଷ୍ଟ୍ରପତି କିଛି ସମୟ ବିତାଇ ପୁରୁଣା ସ୍ମୃତିକୁ ଯେପରି ମନେ ପକାଇବେ ସେଥିପାଇଁ ଏହି ପ୍ରକୋଷ୍ଠକୁ ନୂଆ ରୂପ ଦିଆଯାଇଛି। ବିଧାନସଭାରେ କାର୍ଯ୍ୟକ୍ରମ ଶେଷ ପରେ ରାଷ୍ଟ୍ରପତି ରାଜଭବନ ଫେରି ରାଜ୍ୟପାଳଙ୍କ ସ୍ବତନ୍ତ୍ର ନୈଶ୍ୟ ଭୋଜିରେ ଯୋଗଦେବେ । ୨୮ତାରିଖ ପୂର୍ବାହ୍ଣ ୯ଟା ୧୫ରେ ରାଷ୍ଟ୍ରପତି ଓଡ଼ିଶାରୁ ଲକ୍ଷ୍ନୌ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୨୦୦ ଅଫିସର ଓ ୨୫ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।