ଚିକିତ୍ସା ପାଇଁ ନଥିଲା BSKY ସ୍ମାର୍ଟକାର୍ଡ଼, 5T ସଚିବଙ୍କ ହସ୍ତକ୍ଷେପ ପରେ ମିଳିଲା ମାଗଣା ଚିକିତ୍ସା

ଭୁବନେଶ୍ୱର: ବିଏସ୍‍କେୱାଇ ସ୍ମାର୍ଟ କାର୍ଡ ବର୍ତ୍ତମାନ ରାଜ୍ୟର ସାଧାରଣ ଲୋକଙ୍କ ଜୀବନରେଖା ସାଜିଛି। ଦୈନିକ ରାଜ୍ୟର କୋଣ ଅନୁକୋଣର ଗରିବ ଲୋକମାନେ ଏହାଦ୍ୱାରା ଉପକୃତ ହେଉଥିବା ବେଳେ ଏହା ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସଞ୍ଜୀବନୀ ସାବ୍ୟସ୍ତ ହୋଇପାରିଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ଅଧୀନ ମହିତଙ୍ଗା ଗ୍ରାମରେ। ହରପ୍ରିୟା ନାମରେ ଜଣେ ୧୫ ବର୍ଷର ଝିଅର ନାମ ବିଏସ୍‍କେୱାଇ ସ୍ମାର୍ଟ କାର୍ଡରେ ନାମ ନ ଥିଲେ ମଧ୍ୟ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଫଳରେ ସେ ମାଗଣାରେ ଚିକିତ୍ସା ପାଇବାରେ ସଫଳ ହୋଇଛନ୍ତି।

ମହିତଙ୍ଗା ଗ୍ରାମ ବିପିନ ବିହାରୀ ଡାକୁଆ ଏବଂ ରଞ୍ଜୁଲତା ଡାକୁଆଙ୍କ ଝିଅ ହେଲେ ହରପ୍ରିୟା। ଚଳିତ ବର୍ଷ ବିପିନ ଓ ରଞ୍ଜୁଲତା ଡାକୁଆଙ୍କ ଝିଅ ଦଶମ ପାସ୍ କରିଥିଲେ । ସପ୍ତାହେ ପୂର୍ବରୁ ଘର ସିଡିରୁ ପଡ଼ି ଡାହାଣ ଗୋଡ଼ ଭାଙ୍ଗିଯାଇଥିଲା । ବାପା ଦିନ ମଜୁରିଆ ହୋଇଥିବାରୁ ହସ୍ପିଟାଲ ଖର୍ଚ୍ଚ ବହନ କରିପାରିନଥିଲେ । ବିଏସକେୱାଇ ସ୍ମାର୍ଟକାର୍ଡ ଥିଲା , ହେଲେ ଝିଅ ନାମ ନଥିବାରୁ କାର୍ଡରେ ସୁବିଧା ମିଳିନଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତରେ ଥିବା ଫାଇବ ଟି ସଚିବଙ୍କୁ ଟୁଇଟ୍ କରିଥିଲେ ଯାଜପୁରର ଜଣେ ସମାଜସେବୀ ପିଣ୍ଟୁ ସାହୁ । ଭି.କେ ପାଣ୍ଡିଆନ ଜାଣିବା ପରେ ବିଭାଗୀୟ ଅଧିକାରୀ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ କଥା ହୋଇଥିଲେ । ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ହରପ୍ରିୟାଙ୍କ ଚିକିତ୍ସା । ବିପଦ ସମୟରେ ତତ୍କାଳ ସହାୟତା କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ଫାଇବ ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ପରିବାର।