ବ୍ଲାକ ଫଙ୍ଗସ ସଂକ୍ରମିତଙ୍କୁ ମିଳିବ ମାଗଣା ଚିକିତ୍ସା

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ପରେ ବ୍ଲାକ ଫଙ୍ଗସ ଚିନ୍ତା ବଢାଇଲାଣି । ଏହି ଫଙ୍ଗସ ସଂକ୍ରମଣକୁ ନେଇ ମହାରାଷ୍ଟ୍ର ସରକାର କରିଛନ୍ତି ବଡ ଘୋଷଣା । ଉଦ୍ଧବ ସରକାର ବ୍ଲାକ୍ ଫଙ୍ଗସ ସଂକ୍ରମିତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ରାଜ୍ୟ ମେଡିକାଲ ଇଂସୁରାନ୍ସ ସ୍କିମ୍ ଜରିଆରେ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଓ ବ୍ୟୟ ବହୁଳ ଆଣ୍ଟି ଫଙ୍ଗାଲ ମେଡିସିନର ଦାମ ନିୟନ୍ତ୍ରଣ ପାଇଁ ଚେଷ୍ଟା କରାଯିବ ବୋଲି ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି।
ବ୍ଲାକ୍ ଫଙ୍ଗସ ସଂକ୍ରମଣ ପରେ ଆଣ୍ଟି ଫଙ୍ଗାଲ ଡ୍ରଗ୍ ଆମ୍ଫୋଟେରିକିନ୍-ବି ୪ରୁ ୧୨ ସପ୍ତାହ ପର୍ଯ୍ୟନ୍ତ ନେବାକୁ ହୋଇଥାଏ । କିନ୍ତୁ ଏହି ଔଷଧର ଦାମ ବହୁତ ରହିଛି । ଆଣ୍ଟି ଫଙ୍ଗାଲ ଡ୍ରଗ୍ ଆମ୍ଫୋଟେରିକିନ୍-ବି ର ଗୋଟିଏ ଶିଶିର ଦାମ୍ ରହିଛି ୫ ହଜାରରୁ ୮ ହଜାର ଟଙ୍କା। ସାଧାରଣ ରୋଗୀଙ୍କ ପାଇଁ ଏହି ଔଷଧ ନେବା ସମ୍ଭବପର ନୁହେଁ। ଏଥିଲାଗି ସରକାରଙ୍କ ପକ୍ଷରୁ ମାଗଣା ଚିକିତ୍ସା ପାଇଁ ଘୋଷଣା କରାଯାଇଛି ।