ହୃଦ୍‌ରୋଗୀଙ୍କର ମାଗଣାରେ ଅସ୍ତ୍ରୋପଚାର

(ରିପୋର୍ଟସ ଟୁଡେ) ଆସନ୍ତା ଗୋଟିଏ ବର୍ଷ ଭିତରେ ରାଜ୍ୟର ହଜାରେ ହୃଦ୍‌ରୋଗୀଙ୍କର ମାଗଣାରେ ଅସ୍ତ୍ରୋପଚାର ହେବ। ଅସ୍ତ୍ରୋପଚାର ପାଇଁ ରାଜକୋଟ ଓ ଅହମ୍ମଦାବାଦ ହାର୍ଟ ହସ୍‌ପିଟାଲକୁ ଯିବା ପାଇଁ ଯାତାୟାତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏ ନେଇ ରାଜ୍ୟ ସରକାର ଓ ରାଜ୍‌କୋଟ୍‌ ହାର୍ଟ ହସ୍‌ପିଟାଲ ଟ୍ରଷ୍ଟ ମଧ୍ୟରେ ଆଜି ବୁଝାମଣାପତ୍ର ସ୍ବାକ୍ଷର ହୋଇଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଖାରବେଳ ନଗରଠାରେ ଥିବା ସାଇ ଜନନୀ ପରିସରରେ ଏକ ମେଗା ହୃଦ୍‌ରୋଗ ଚିହ୍ନଟ ଶିବିରକୁ ଆଜି ଉଦ୍‌ଘାଟନ କରିବା ଅବସରରେ ଶ୍ରୀ ପଟ୍ଟନାୟକ ଏହି ଘୋଷଣା କରିଥିଲେ। ଏହା ଛଡ଼ା ରାଜ୍ୟରେ ପ୍ରତ୍ୟେକ ମେଡିକାଲ କଲେଜ୍‌ ଆଣ୍ଡ ହସ୍‌ପିଟାଲରେ ସ୍ବତନ୍ତ୍ର ହୃଦ୍‌ରୋଗ ହସ୍‌ପିଟାଲ ଖୋଲାଯିବା ପାଇଁ ଯୋଜନା ହେଉଛି। ପ୍ରଥମେ ଏହା ଝାରସୁଗୁଡ଼ାରେ ହେଉଛି ବୋଲି ସେ ସୂଚନା ଦେଇଛନ୍ତି।
ଶିବିର ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ବିଭିନ୍ନ ସମୟରେ ହୃଦ୍‌ରୋଗୀଙ୍କୁ ଚିହ୍ନଟ କରି ପ୍ରଶାନ୍ତି ମେଡିକାଲ ସର୍ଭିସେସ୍‌ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ ଅସ୍ତ୍ରୋପଚାର କରିବାର ନଜିର ରହିଛି। ଏହି କାର୍ୟ୍ୟ ପାଇଁ ସେ ଅନୁଷ୍ଠାନକୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଅହମ୍ମଦାବାଦ୍‌ରେ ଅନୁଷ୍ଠାନ ଆଉ ଏକ ନୂଆ ହସ୍‌ପିଟାଲ ଆରମ୍ଭ କରିଛି। ରାଜ୍ୟ ସରକାର ଏଯାବତ୍‌ ୧୩ ହଜାର ୫ଶହ ହୃଦ୍‌ରୋଗୀଙ୍କୁ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ଅଧୀନରେ ଚିକିତ୍ସା କରାଯାଇଥିବା ବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନେକ ରୋଗୀ ଉପକୃତ ହେବେ ବୋଲି ସେ କହିଛନ୍ତି।