ଭଞ୍ଜନଗର(ରିପୋର୍ଟର୍ସ ଟୁଡେ): ଗରିବ ଶ୍ରେଣୀର ପରିବାରକୁ ମିଳିବ ସବିଧା । ଉଜ୍ଜ୍ୱଳା ଯୋଜନାରେ ଖାଲି ସିଲିଣ୍ଡର ନେଇ ଫୁଲ କରାଇବେ ସରକାର । ଏଭଳି ଲୋଭ ଦେଖାଇ କିଛି ଦୁର୍ବୃତ୍ତ ଆଦିବାସୀମାନଙ୍କ ନିକଟରୁ ଖାଳି ଗ୍ୟାସ ସିଲିଣ୍ଡର ନେଇ ଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ଥାନା ମୁଜାଗଡ ପଞ୍ଚାୟତର ସୁତାଙ୍ଗି ଗ୍ରାମରୁ ।
ଗତ ୩ ଦିନ ତଳେ ଏକ ପିକ୍ଅପ ଭ୍ୟାନରେ କିଛି ବ୍ୟକ୍ତି ଆସିଥିଲେ ଯେଉଁମାନେ ନିଜ ପରିଚୟରେ ଗ୍ୟାସ କମ୍ପାନୀର କର୍ମଚାରୀ ବୋଲି କହିଥିଲେ । ଏଥି ସହିତ ଲୋକମାନଙ୍କୁ ମାଗଣାରେ ସରକାରଙ୍କ ତରଫରୁ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି କହିଥିଲେ ସେମାନେ । ଖାଲି ସିଲିଣ୍ଡର ନେଇ ଦିନେ କି ଦୁଇ ଦିନ ଭିତରେ ଏହା ପରିବର୍ତ୍ତେ ଫୁଲ ସିଲିଣ୍ଡର ଦିଆଯିବ କହି ନେଇ ଯାଇଥିଲେ । ନିରୀହ ଗ୍ରାମବାସୀ ସେମାନଙ୍କ କଥାରେ ବିଶ୍ୱାସ କରି ସିଲିଣ୍ଡର ଦେଇଦେଇଥିଲେ । ତେବେ ଦିନେ ଦୁଇ ଦିନ ଯାଇ ୪ ଦିନ ବିତିଗଲାଣି । କିନ୍ତୁ ଗ୍ରାମବାସୀଙ୍କୁ ମିଳୁନି ସିଲିଣ୍ଡର । ଏନେଇ ଦଦରଲୁଣ୍ଡାଠାର ଜଣେ ବ୍ୟବସାୟୀଙ୍କୁ ପଚାରିବାରୁ ଏସବୁ ଠକେଇ ହୋଇଥିବା ଜାଣିବାକୁ ପାଇଥିଲେ । ତେବେ ଦୁର୍ବୃତ୍ତ ଗାଁର ମୋଟ ୧୨ ଜଣଙ୍କ ଘରୁ ଏପରି ଭାବରେ ସିଲିଣ୍ଡର ନେଇ ଯାଇଥିବା ବେଳେ ଥାନାରେ ଏନେଇ କୌଣସି ଲିଖିତ ଅଭିଯୋଗ କରାଯାଇନାହିଁ ।