ସମାବର୍ତ୍ତନ ଉତ୍ସବରେ ରାଉରକେଲାର ୪ଜଣ ସମ୍ବର୍ଦ୍ଧିତ

ରାଉରକେଲା: ଗୋକର୍ଣ୍ଣିକା ସାହିତ୍ୟାନୁଷ୍ଠାନ ତରଫରୁ ଜାରକା ସ୍ଥିତ ସିଭିକ ସେଣ୍ଟର ଠାରେ ୪୭ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ରାଉରକେଲା ର ୪ଜଣ ବିଶିଷ୍ଟ ସାରସ୍ବତ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଯାହା ସହରବାସୀଙ୍କୁ ଆହ୍ଲାଦିତ କରିଛି। ଏହି ସମାବର୍ତ୍ତନ ଉତ୍ସବରେ ପ୍ରବନ୍ଧ ପାଇଁ ଅଧ୍ୟାପିକା ଡଃ ଦୀପ୍ତିମୟୀ ବେହେରାଙ୍କୁ ‘ଗୋକର୍ଣ୍ଣିକା ଲେଖିକା ସମ୍ମାନ’,ବାଗ୍ମୀତା ପାଇଁ ପ୍ରାକ୍ତନ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ‘ ଗୋକର୍ଣ୍ଣିକା ବାଗ୍ମୀ ସମ୍ମାନ’ ଗଳ୍ପ ପାଇଁ ଗାଳ୍ପିକ ଆର୍ତ୍ତତ୍ରାଣ ମହାପାତ୍ରଙ୍କୁ ‘ ଗୋକର୍ଣ୍ଣିକା ଗଳ୍ପ ସମ୍ମାନ ‘ ଓ ନାଟକ କ୍ଷେତ୍ର ପାଇଁ ପ୍ରଫେସର ଡଃ ସମର ମୁଦାଲି ଙ୍କୁ ‘ ଗୋକର୍ଣ୍ଣିକା ନାଟକ ସମ୍ମାନ’ ରେ ସମ୍ମାନିତ କରାଯାଇଥିଲା। ସମସ୍ତ ସମ୍ବର୍ଦ୍ଧିତ ବ୍ୟକ୍ତିଙ୍କୁ ମାନପତ୍ର, ପୁଷ୍ପଗୁଛ, ଉପଢୌକନ ଓ ମେମୋଣ୍ଟୋ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଗୋକର୍ଣ୍ଣିକା ସାହିତ୍ୟାନୁଷ୍ଠାନ ର ସଭାପତି ରମାକାନ୍ତ ଜେନାଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ହୃଷିକେଶ ସାମଲଙ୍କ ଆବାହକତ୍ବରେ ଆୟୋଜିତ ଏହି ସମାବର୍ତ୍ତନ ଉତ୍ସବରେ ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ର ମୁଦ୍ରାକର ତଥା ପ୍ରକାଶକ ନିରଞ୍ଜନ ରଥ ଉଦଘାଟକ ଭାବେ, ପ୍ରାକ୍ତନ ପ୍ରଶାସକ ତଥା କବି ରବିନାରାୟଣ ସେନାପତି ମୁଖ୍ୟଅତିଥି ଓ ଶିଶୁ ସାହିତ୍ୟିକା ଡଃ ମନୋରମା ବିଶ୍ବାଳ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାରସ୍ବତ ପ୍ରତିଭା ମନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।