ଭାଙ୍ଗୁଛି ମାଓ ଗଡ, ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୪ ମାଓବାଦୀ

ମାଲକାନଗିରି: ଭାଙ୍ଗୁଛି ମାଓ ଗଡ । ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଛତିଶଗଡ଼ ଗରିଆବନ୍ଧରେ ୪ ହାର୍ଡକୋର୍ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ନେଇ ସୂଚନା ମିଳିଛି । ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଓଡ଼ିଶା ଓ ଛତିଶଗଡ଼ରେ ଆତଙ୍କ ଖେଳାଇଥିଲେ ଏହି ୪ ମାଓବାଦୀ । ନଗଦ ୧୬ ଲକ୍ଷ ଟଙ୍କା, ୩୧ ଗୁଳି, ୨ ମାଗାଜିନ୍ ସହ କଲେ ଆତ୍ମସମର୍ପଣ । ଆତ୍ମସମର୍ପଣ କରିଥିବା ୪ ମାଓବାଦୀଙ୍କ ମୁଣ୍ଡ ଉପରେ ଥିଲା ୧୯ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏପି ଜିତେନ୍ଦ୍ର ଚନ୍ଦ୍ରକାର ସମେତ ସିଆରପିଏଫ ଅଧିକାରୀଙ୍କ ସମ୍ମୁଖରେ ଅସ୍ତ୍ରଶସ୍ତ୍ର ନେଇ ଆତ୍ମସମର୍ପଣ କରିଥିଲେ। ଏହି ୪ ମାଓବାଦୀ ହେଉଛନ୍ତି ରନୀତା ଓରଫ ପାୟକି, ସୁଜାତା ଓରଫ ଅରେ କୁରାମ, ଦୀପକ ଓରଫ ଭୀମା ମାଣ୍ଡବୀ ଏବଂ କୈଳାସ ଓରଫ ଭୀମା ଭୋଗମ। ତେବେ ଏହି ନକ୍ସଲମାନେ ଅଟୋମେଟିକ ରାଇଫଲ ସହ ଆତ୍ମସମର୍ପଣ କରିଥିବାରୁ ସଂଗଠନକୁ ବଡ ଝଟକା ଲାଗିଥିବା ପୁଲିସ କହିଛି। ସେପଟେ ଆତ୍ମସମର୍ପଣ କରି ଥିବା ମାଓବାଦୀ ସୁଚନା ଆଧାରରେ ଛତିଶଗଡ଼ ଗରିଆବନ୍ଧ ମାଓ ଶିବିରରୁ ୧୬.୫୦ ଲକ୍ଷ ଟଙ୍କା ସହ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରିଛି ସୁରକ୍ଷାବାହିନୀ । ପ୍ରଶାସନ ତରଫରୁ ସମସ୍ତଙ୍କୁ ୫୦ ହଜାର ଟଂକା ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ତାଲିମ ପ୍ରଦାନ କରାଯାଇ ଆତ୍ମନିର୍ଭରଶୀଳ କରାଯିବ।