ମାଲକାନଗିରିରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଜଣ ଗିରଫ ହୋଇଛନ୍ତି

ମାଲକାନଗିରି:- ମାଲକାନଗିରିରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଜଣ ଗିରଫ ହୋଇଛନ୍ତି । ଟ୍ରକ୍‌ ଚାଳକ ସହ ଆଉ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି । ପୀଡ଼ିତା ଜଣକ ପୃଥକ ସ୍ଥାନରେ ଦୁଷ୍କର୍ମର ଶିକାର ହୋଇଥିଲେ । ବିଜାଘାଟି ନିକଟରୁ ନାବାଳିକାଙ୍କୁ ଆଦର୍ଶ ଥାନା ପୋଲିସ ଉଦ୍ଧାର କରିଥିଲା ।

ଖବର ମୁତାବକ, ରବିବାର ସନ୍ଧ୍ୟାରେ ସାଙ୍ଗର ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ନାବାଳିକା ଜଣକ ଯାଇଥିଲେ । ମାତ୍ର ରାତିରେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ଖୋଜାଖୋଜି ପରେ ବିଳମ୍ବିତ ରାତିରେ ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥର ବିଜାଘାଟି ନିକଟରେ ଜଣେ ଟ୍ରକ୍ ଚାଳକକୁ ସନ୍ଦେହ କରି କିଛି ବାଟୋଇ ଓ ଗ୍ରାମବାସୀ ଖବର ଦେଇଥିଲେ । ପରେ ମାଲକାନଗିରି ଥାନା ପୋଲିସ ସେଠାରେ ପହଞ୍ଚି ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଟ୍ରକ ଡ୍ରାଇଭର ଓ ଅନ୍ୟ ୩ ଜଣଙ୍କୁ ଗିରଫ କରିଥିଲା । ମାଲକାନଗିରି ଏସପି ଘଟଣାକୁ ଗଣଦୁଷ୍କର୍ମ ବୋଲି ସୂଚନା ଦେବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ପୀଡିତାଙ୍କ ବୟାନ ରେକର୍ଡ କରାଯିବା ସହ ଅଧିକରୁ ଅଧିକ ତଦନ୍ତ ଜାରି ରହିଛି ।