ଭାଇରାଲ ହେଲା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏକ୍ସ ପୋଷ୍ଟ । ପହଲଗାମ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ପାଇଁ କଲେ ଶୋକ । ପାକିସ୍ତାନ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଙ୍ଗଳବାର ନିଜର ଏକ୍ସ (ଢ) ଆକାଉଣ୍ଟରେ କହିଛନ୍ତି, “ପହଲଗାମ ଘଟଣାରେ ମାନବ ଜୀବନର ହାନି ଅତ୍ୟନ୍ତ ଦୁଃଖଦ ଓ ଯନ୍ତ୍ରଣାଦାୟକ। ମୁଁ ପୀଡ଼ିତ ଓ ସେମାନଙ୍କ ପରିବାରଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।” ସେ ଆହୁରି କହିଛନ୍ତି ଯେ ୨୦୧୯ ମସିହାରେ ପୁଲୱାମା ଘଟଣା ସମୟରେ ମଧ୍ୟ ଭାରତ ପାକିସ୍ତାନ ଉପରେ ଅଭିଯୋଗ ଲଗାଇଥିଲା। କିନ୍ତୁ କୌଣସି ର୍ନିଦ୍ଦିଷ୍ଟ ପ୍ରମାଣ ଦେଇ ପାରି ନଥିଲା। ସେ ଅଭିଯୋଗ କରିଛନ୍ତି ଯେ ପାହାଲଗାମ ଘଟଣା ପରେ ମଧ୍ୟ ଭାରତ ସେହିଭଳି ଅଭିଯୋଗ କରୁଛି।

ଇମ୍ରାନ ଖାନ ଭାରତର ନରେନ୍ଦ୍ର ମୋଦୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ପାକିସ୍ତାନର ବର୍ତ୍ତମାନର ସରକାରଙ୍କଠାରୁ କୌଣସି ଦୃଢ଼ ପଦକ୍ଷେପର ଆଶା କରାଯାଇ ପାରିବ ନାହିଁ। ସେ ପାକିସ୍ତାନର ଶାସକ ପିଏମଏଲ-ଏନ ଦଳର ନେତା ନୱାଜ ଶରିଫ ଓ ଆସିଫ ଜର୍ଦାରୀଙ୍କୁ “ସ୍ବାର୍ଥପର” ନେତା ବୋଲି ଅଭିଯୋଗ କରିଛନ୍ତି। ଖାନ କହିଛନ୍ତି, “ଏହି ନେତାମାନେ ବୈଦେଶିକ ନିବେଶରୁ ଲାଭ ଉଠାଉଛନ୍ତି ଏବଂ ସେମାନଙ୍କର ଆର୍ଥିକ ସ୍ବାର୍ଥ ରକ୍ଷା କରିବା ପାଇଁ ଭାରତର ଅଭିଯୋଗ ବିରୋଧରେ ମୌନ ରହୁଛନ୍ତି।”

୧.୫ ବିଲିୟନ ଜନସଂଖ୍ୟା ବିଶିଷ୍ଟ ଭାରତ ଏକ ଦାୟୀତ୍ୱପୂର୍ଣ୍ଣ ଦେଶ ଭାବେ କାର୍ୟ୍ୟ କରିବା ଉଚିତ ବୋଲି ଖାନ ମତ ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଦକ୍ଷିଣ ଏସିଆ ଏକ “ନ୍ୟୁକ୍ଲିୟର ଫ୍ଲାସପଏଣ୍ଟ” ଅଞ୍ଚଳ ହୋଇଥିବାରୁ ଭାରତର ଆକ୍ରମଣାତ୍ମକ ନୀତି ଅଞ୍ଚଳର ଶାନ୍ତି ପାଇଁ ହାନିକାରକ ହୋଇପାରେ। ପାକିସ୍ତାନ ଶାନ୍ତି ଚାହୁଁଥିବା କହି ଖାନ ସ୍ପଷ୍ଟ କରିଛନ୍ତି ଯେ ଏହାକୁ ଦୁର୍ବଳତା ଭାବେ ଭାବିବା ଅନୁଚିତ।