ଭୁବନେଶ୍ଵର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପୂର୍ବତନ ବାଲେଶ୍ୱର ସାଂସଦ ଓ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଶଙ୍ଖ ଛାଡି ପଦ୍ମ ଧରିଛନ୍ତି। ବୁଧବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକମାନଙ୍କ ସହ ସେ ବିଜେପିରେ ଯୋଗଦେଇଛନ୍ତି। ଇଡକୋ ପ୍ରଦର୍ଶନୀ ପଡିଆ ସାମ୍ନାରୁ ବିରାଟ ପଟୁଆରରେ ରବୀନ୍ଦ୍ର ଜେନା ନିଜ ସମର୍ଥକମାନଙ୍କ ସହ ପାର୍ଟି କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ରାଜ୍ୟ ବିଜେପି ପକ୍ଷରୁ ତାଙ୍କ ସମେତ ଅନ୍ୟ ନେତାମାନଙ୍କୁ ସ୍ୱାଗତ କରାଯାଇଥିଲା। ଏହି ମିଶ୍ରଣ ପର୍ବରେ ବାଲେଶ୍ୱର ଜିଲ୍ଲାର କିଛି ବିଧାୟକ ମଧ୍ୟ ଉପସ୍ଥିତ ଥିଲେ।
ରବୀନ୍ଦ୍ର ଜେନାଙ୍କ ସହ ପଞ୍ଚାୟତ ଓ ବ୍ଲକ୍ ସ୍ତରୀୟ ବିଜେଡି ନେତାମାନଙ୍କ ସହିତ କିଛି ଛାତ୍ର ନେତା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ପକ୍ଷରୁ କୁହାଯାଇଛି ଯେ, ରବୀନ୍ଦ୍ର ଜେନାଙ୍କ ଯୋଗଦାନ ପରେ ବାଲେଶ୍ୱରରେ ଦଳ ଆହୁରି ଶକ୍ତିଶାଳୀ ହେବ। ଏକଦା ବାଲେଶ୍ୱର ଜିଲ୍ଲା ବିଜେଡିର ଏକ ପ୍ରମୁଖ ଚେହେରା ଥିବା ରବୀନ୍ଦ୍ର ଜେନା ୨୦୧୪ ମସିହାରେ ବାଲେଶ୍ୱରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ ଜିଲ୍ଲା ବିଜେଡି ସଭାପତି ଭାବେ ଦୁଇଥର ଦାୟିତ୍ୱ ନେଇଥିଲେ ଏବଂ ଜିଲ୍ଲାରେ ଦଳକୁ ମଜବୁତ କରିବାରେ ଭୂମିକା ଗ୍ରହଣ କରିଥିଲେ।
ତେବେ ଜିଲ୍ଲାରେ ଦଳୀୟ ଗୋଷ୍ଠୀ କନ୍ଦଳ ହେତୁ ୨୦୧୯ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିକଟରୁ ୧୨ ହଜାର ୯୫୬ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ଏହା ପରେ ବାଲେଶ୍ୱରରେ ବିଜେଡି ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇପଡ଼ିଥିଲା। ୨୦୨୪ ନିର୍ବାଚନରେ ମଧ୍ୟ ଏହି ଗୋଷ୍ଠୀ କନ୍ଦଳର ପ୍ରଭାବ ଦେଖାଯାଇଥିଲା। ଯଦିଓ ଏହି ନିର୍ବାଚନରେ ରବୀନ୍ଦ୍ର ଜେନାଙ୍କ ଧର୍ମପତ୍ନୀ ସୁବାସିନୀ ଜେନା ବସ୍ତା ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ରବୀନ୍ଦ୍ର ଜେନା ବିଜେଡି ଛାଡି ବିଜେପିରେ ଯୋଗଦେବା ପରେ ଏବେ ତାଙ୍କ ପତ୍ନୀ ଓ ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ଆଗାମୀ ରାଜନୈତିକ ପଦକ୍ଷେପକୁ ନେଇ ଚର୍ଚ୍ଚା ବଢ଼ିଛି। ସେ ବିଜେଡିରେ ରହିବେ କି ନା ଦଳ ଛାଡି ବିଜେପିରେ ଯୋଗଦେବେ, ତାହାକୁ ନେଇ ଏବେ ରାଜନୈତିକ ମହଳରେ ଆଲୋଚନା ଜୋର ଧରିଛି।