ବାଘଛାଲ ବିକ୍ରି ବେଳେ ବାନ୍ଧିଲା ବନବିଭାଗ

ବାରିପଦା-: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଞ୍ଚଳରୁ ୩ଟି ବାଘ ଛାଲ ଜବତ ହୋଇଥିବାବେଳେ, ଏଥିରେ ମୋଟ ୭ଜଣଙ୍କୁ ଅଟକ ରଖାଯାଇଛି । ବାଘଛାଲ ଗୁଡିକୁ ବିକ୍ରି ପାଇଁ ଯୋଜନା ଚାଲିଥିବା ଖବର ପାଇ ବନ ବିଭାଗ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଥିଲା । ଅଟକଙ୍କ ମଧ୍ୟରେ ଜଣେ ଶିକ୍ଷକ ରହିଥିବା ସୂଚନା ।

ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଖୁଣ୍ଟା ଥାନା ପଶୁଦା ମହୁଲିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଗୋଟିଏ ବାଘଛାଲ ଏବଂ ବଡସାହି ଥାନା ପାଉଁଶିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଦୁଇଟି ବାଘଛାଲ ଜବତ କରାଯାଇଛି । ଜବତ ବାଘଛାଲ ଶିମିଳିପାଳ ବନାଞ୍ଚଳ ବା ଅନ୍ୟ କେଉଁ ବନାଞ୍ଚଳର ତାହା ତଦନ୍ତ ପରେ ହିଁ ଜଣାପଡ଼ିବ । ତେବେ ମୟୂରଭଞ୍ଜ ଜିଲାରୁ ବାଘଛାଲ ଜବତ ହେବା ଘଟଣାରୁ ଶିମିଳିପାଳରେ ବନ୍ୟଜନ୍ତୁଙ୍କ ଜୀବନ ସର୍ବଦା ବିପନ୍ନ ରହିଥିବା ନେଇ ଆଶଙ୍କା ଉପୁଜିଛି ।