ପୁରୀ: ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ଏବେ ବି ରହସ୍ୟ ହଟୁନାହିଁ । ବାରମ୍ବାର ହେଉଛି ବୟାନ ରେକର୍ଟ । ଆଜି ପୁଣି ବଳଙ୍ଗା ପୀଡ଼ିତାଙ୍କ ହେଲା ପୁଣି ବୟାନ ରେକର୍ଡ । ଦିଲ୍ଲୀ ସାକେତ କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ । ତଦନ୍ତକାରୀ ଅଧିକାରୀ କଳ୍ପନା କହଁରଙ୍କ ଉପସ୍ଥିତିରେ ହେଲା ଚତୁର୍ଥ ଥର ପାଇଁ ବୟାନ ରେକର୍ଡ । ଗତ ମଙ୍ଗଳବାର ଦିଲ୍ଲୀ ଏମ୍ସରେ ତୃତୀୟ ଥର ପାଇଁ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା ପୁରୀ ପୋଲିସ । ବଳଙ୍ଗା ଥାନା ଅଧିକାରୀ ଏବଂ ମାମଲାର ତଦନ୍ତ ଅଧିକାରୀ ମହିଳା ଡିଏସପି ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲେ । ଆଜି ପୁଣି ଥରେ ଦିଲ୍ଲୀର ସ୍ଥାନୀୟ କୋର୍ଟଙ୍କ ନିର୍ଦ୍ଦେଶରେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଛି । ସେପଟେ ପୁରୀ ଏସ୍ପି କହିଛନ୍ତି, ତଦନ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସମସ୍ତ ଆଇନଗତ ଦିଗକୁ ଦୃଷ୍ଟିରେ ରଖାଯାଇ ତଦନ୍ତ କରାଯାଉଛି । ତାଛଡ଼ା ନାବାଳିକାଙ୍କର ଚିକିତ୍ସା ଜାରି ରହିଥିବାରୁ ଅତି ସତର୍କତାର ସହିତ ତଦନ୍ତ ପ୍ରକ୍ରିୟାକୁ ଆଗେଇ ନିଆଯାଉଛି ।
କିଛିଦିନ ତଳେ ବଳଙ୍ଗାରେ ଜଣେ ଛାତ୍ରୀ ସାଙ୍ଗଘରକୁ ଯାଉଥିବା ବେଳେ ୩ଜଣ ଦୁବୃତ୍ତ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୨ ଦିନ ଚିକିତ୍ସିତ ହେବା ପରେ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ପୀଡିତା ସେଠାରେ ସୁସ୍ଥ ହୋଇ ଆସୁଛନ୍ତି । ତେବେ ଭୁବନେଶ୍ୱରରେ ସେ ଦେଇଥିବା ବୟାନ ଓ ବର୍ତ୍ତମାନ ଦେଇଥିବା ବୟାନ ମଧ୍ୟରେ କିଛି ଫରକ ଆସୁଥିବା କୁହାଯାଇଛି । ତେଣୁ ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ଆସିବା ପରେ ଘଟଣା ବାବଦରେ ଜଣାପଡିବ ବୋଲି ସୂଚନା ମିଳିଛି ।