ସମ୍ବଲପୁର:- ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଭିସୁଟରେ ପ୍ରଥମଥର ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଛି ବାଧ୍ୟତାମୂଳକ ନୂଆ ୟୁନିଫର୍ମ । ୨୦୨୫-୨୦୨୬ ଶିକ୍ଷାବର୍ଷ ପାଇଁ ଆଡମିଶନ ନେଇଥିବା ସମସ୍ତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ । ପୁଅଙ୍କ ପାଇଁ ଫର୍ମାଲ ପ୍ୟାଣ୍ଟ ଓ ସାର୍ଟ ରହିଥିବାବେଳେ ଝିଅଙ୍କ ପାଇଁ ସାଲଓ୍ବାର କମିଜ୍ ସହ ଓ୍ବେଷ୍ଟକୋଟ୍ ବାଧ୍ୟତାମୂଳକ ରହିଛି । ସୁରକ୍ଷା ଦୃଷ୍ଟିରୁ ଝିଅଙ୍କ ପାଇଁ ଦୁପଟ୍ଟା ବା ଓଢଣୀ ବାରଣ ରହିଛି । କଲେଜ ପ୍ରଶାସନ ଦ୍ୱାରା ଜାରି ହୋଇଥିବା ଏହି ନିର୍ଦ୍ଦେଶନାମା ପୋଷାକକୁ ମାନକୀକରଣ କରିବା ଏବଂ କ୍ୟାମ୍ପସରେ ସୁରକ୍ଷା ବୃଦ୍ଧି କରିବା ଲକ୍ଷ୍ୟରେ କରାଯାଇଛି ।
ନୂତନ ନୀତି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗୋଷ୍ଠୀବଦ୍ଧତା, ବୃତ୍ତିଗତତା ଏବଂ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି । ପ୍ରଶାସନ କହିଛନ୍ତି ଯେ, ନିର୍ଦ୍ଧାରିତ ଡ୍ରେସ କୋଡ୍ ପାଳନ ନ କଲେ ଛାତ୍ରଛାତ୍ରୀମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।