(ରିପୋର୍ଟସ ଟୁଡେ): ଆସନ୍ତା ୧ତାରିଖରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ଅନ୍ତର୍ଜାତୀୟ ଷ୍ଟ୍ରିଟ୍ଫୁଡ୍ ଫେଷ୍ଟିଭାଲ। ୨୪ଟି ଫୁଡ୍ କୋର୍ଟରେ ୨୦ଟି ଦେଶର ଖାଦ୍ୟ ମିଳିବ। ଏହା ସାଙ୍ଗକୁ ବିଭିନ୍ନ ରାଜ୍ୟର ଓ ଓଡ଼ିଆ ଖାଦ୍ୟ ମଧ୍ୟ ମହୋତ୍ସବରେ ଉପଲବ୍ଧ ହେବ। ଏହା ସଂଧ୍ୟା ୭ରୁ ଆରମ୍ଭ ହୋଇ ରାତି ୧୧ଟା ପର୍ୟ୍ୟନ୍ତ ଖୋଲା ରହିବ। ବିଶ୍ବକପ୍ ଶେଷ ହେବା ପର୍ୟ୍ୟନ୍ତ ଏହି ମହୋତ୍ସବ ଚାଲିବ ବୋଲି ଜଣାପଡ଼ିଛି।
୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଫେଷ୍ଟିଭାଲ୍ର ଲୋଗୋ ଉନ୍ମୋଚନ କରିବେ। ଫେଷ୍ଟିଭାଲ୍ରେ ଏକାଧିକ ହୋଟେଲ, ରେସ୍ତୋରାଁ ଓ କ୍ୟାଟରିଂ ସଂସ୍ଥା ଅଂଶଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଫୁଡ୍ କୋର୍ଟରେ ରାଜ୍ୟ, ଦେଶ ଓ ଓଡ଼ିଆ ବିଷୟବସ୍ତୁ ଆଧାରିତ। ଏହାସହ ରାଜ୍ୟର ଦୁଇଟି ଷ୍ଟ୍ରିଟ୍ ଫୁଡ୍ ସହିତ ରାଜ୍ୟ ଓ ଦେଶର ୪ଟି ଲେଖାଏଁ ଖାଦ୍ୟ ପ୍ରସ୍ତୁତ କରିପାରିବେ। ହକି ବିଶ୍ବକପ୍ରେ ଅଂଶଗ୍ରହଣ କରୁଥିବା ୧୬ଦଳକୁ ବାଦ୍ ଦେଲେ ଆହୁରି ୬ଟି ଦେଶର ଖାଦ୍ୟ ମିଳିବ ଏହି ଫେଷ୍ଟିଭାଲରେ। ଓଡ଼ିଆ ଖାଦ୍ୟ ଭିତରେ ଚୁଡ଼ାକଦମ୍ବା, ମାଲପୁଆ, ପିଠା, କାଞ୍ଜି ବରା, ଝାଲମୁଢ଼ି, ଦହି ବରା, ଗୁଲୁଗୁଲା, ମୁଗ ପିଆଜି, ମଟନ ଚପ୍, ଚିକେନ୍ ପକୋଡା, ମୁଢ଼ି ମାଂସ, ପକୁଡ଼ି, ବାଇଗେଣି, ପିଆଜି, ଠୁଙ୍କା ପୁରୀ-ଛେନା ତରକାରି, ଚାଟ୍, କଚେଡ଼ି ଭଳି ଖାଦ୍ୟ ରହିଛି। ସେହିପରି ଫୁଡ୍ କୋର୍ଟ ବ୍ୟତୀତ ସେଠାରେ ଏକାଧିକ ସେଲ୍ଫି ପଏଣ୍ଟ ନିର୍ମାଣ ହେବ। ପ୍ୟାରିସ୍ର ଆଇଫେଲ ଟାୱାର, ତାଜମହଲ, ମୁକ୍ତେଶ୍ବର ମନ୍ଦିର ଭଳି ଅନେକ ଅନ୍ତର୍ଜାତୀୟ ଐତିହ୍ୟ ସମ୍ମୁଖରେ ସେଲ୍ଫି ନେବାର ସୁବିଧା ମିଳିବ। ଏହାକୁ ଅଧିକ ରଂଗିନ୍ କରିବା ପାଇଁ ୫ ଦିନ ପାଇଁ ବଲିଉଡ୍ ନାଇଟ୍ ପାଇଁ ଯୋଜନା ହୋଇଛି। ଶେଖର ଏଣ୍ଡ ଗ୍ରୁପ୍, ସାନ୍, ଶଙ୍କର ମହାଦେବନ, ଫରହାନ୍ ଅଖତାର, ଶ୍ରେୟା ଘୋଷାଲ, କଲ୍ୟାଣ କମେଡି ନାଇଟ୍ ସହ ଓଡ଼ିଶୀ ଓ ଛଉ ନୃତ୍ୟ ପ୍ରଦର୍ଶିତ ହେବ। ଷ୍ଟିଭାଲ୍ରେ ଯେଉଁ ହୋଟେଲ, ରେସ୍ତୋରାଁମାନେ ଅଂଶଗ୍ରହଣ କରୁଛନ୍ତି, ସେମାନଙ୍କୁ ନେଇ ବ୍ରାଣ୍ଡିଂ କରାଯିବ।