ବାଲେଶ୍ଵର: ନ୍ୟାୟ ମାଗି ମାଗି ଶେଷରେ ଅନ୍ୟାୟରେ ଚାଲିଗଲେ ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି । କେତେ ଦିନ ବା ଆଉ ନ୍ୟାୟ ପାଇଁ ଭିକ୍ଷା କରିଥାନ୍ତେ । କଲେଜ୍ ପ୍ରିନ୍ସିପାଲଙ୍କ ଠାରୁ ଆରମ୍ଭ କରି ସାଂସଦଙ୍କ ପର୍ଯ୍ୟନ୍ତ । ସମସ୍ତଙ୍କୁ ଗୁହାରି ହୋଇଥିଲେ ମଧ୍ୟ କେହି ତାଙ୍କ କଥାକୁ କର୍ଣ୍ଣପାତ କରି ନଥିଲେ । ଶେଷରେ ଅସହ୍ୟ ଯନ୍ତ୍ରଣାକୁ ଛାତିରେ ଧରି ଯେଉଁ ସ୍ଵପ୍ନ ନେଇ ଏଫ୍ଏମ୍ କଲେଜକୁ ଆସିଥିଲେ ସେହି କଲେଜ୍ ସାମ୍ନାରେ ନିଜ ଦେହରେ ନିଆଁ ଲଗେଇଦେଲେ । ଗୁରୁତର ଅବସ୍ଥାରେ ଭୁବନେଶ୍ଵର ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିଲେ । ତଥାପି ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ । ନା ନ୍ୟାୟ ମିଳିଲା ନା ଜୀବନ ବଞ୍ଚିଲା । ଏପରି ଗୋଟେ ପଦକ୍ଷେପ ନେଇ ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ସେହି ୨୦ ବର୍ଷିୟ ଝିଅଟି ଯେମିତି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଗଲା । ଜୀବନ ଦେଇଦେବି ସିନା କିନ୍ତୁ ଇଜ୍ଜତ ଉପରେ ଆଞ୍ଚ ଆସିବାକୁ ଦେବିନି । ଅନ୍ୟପଟେ ଝିଅର ଏହି ବଳିଦାନକୁ ନେଇ ନ୍ୟାୟ ମିଳିବା ବଦଳରେ ରାଜନୀତି ତେଜୁଛି । ପରସ୍ପର ଉପରେ ଦୋଷ ଲଦାଲଦି ହେଇ ଛୋଟ ମାଛ କୁ ପୋଲିସ ହାତରେ ଧରେଇ ଖସି ଯାଉଛନ୍ତି ବଡ ମାଛ । ରାଜରାସ୍ତାରେ ବିରୋଧି ଗର୍ଜୁଛି ସିନା ହେଲେ ନ୍ୟାୟ ସତରେ କଣ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ମିଳିବ? ସମସ୍ତଙ୍କ ମନରେ ଏହି ଗୋଟେ ପ୍ରଶ୍ନ …
ସେପଟେ ଘଟଣା ଘଟିବାର ୪ ଦିନ ପରେ ଶେଷରେ ମୁହଁ ଖୋଲିଛି କଲେଜ୍ କମିଟି । ଏଫ୍ଏମ୍ କଲେଜ ICC ସଦସ୍ୟ ମୀନତି ସେଠୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସୋମ୍ୟାଶ୍ରୀ HODଙ୍କ ନାଁରେ ଫେଭର ଅଭିଯୋଗ କରିଥିଲେ । ଏହା ଯୌନ ନିର୍ଯାତନାକୁ ନିଶ୍ଚିତ ଇଙ୍ଗିତ କରୁଥିଲା । ମାତ୍ର କିଛି ପ୍ରତ୍ୟକ୍ଷ ପ୍ରମାଣ ନ ଥିଲା । ସାଧାରଣତଃ ଏପରି ଘଟଣାରେ ବି କିଛି ପ୍ରମାଣ ନ ଥାଏ କି ଏପରି କଥାରେ କେହି ସାକ୍ଷୀ ନ ଥାନ୍ତି । କାହାକୁ କିଏ ବସାଇକି ଏକଥା କହିହେବନି ବି । ତାଙ୍କ ଅଭିଯୋଗର ସତ୍ୟତା ଥାଇପାରେ । ମାତ୍ର ପ୍ରମାଣ ପାଇଲୁ ନାହିଁ । ବିଭାଗର ୬୦ ପିଲାଙ୍କୁ ଡାକି HODଙ୍କ ଚରିତ୍ର ବାବଦରେ ତଥ୍ୟ ନେଲୁ । କିନ୍ତୁ ଅନ୍ୟ ପିଲାମାନେ ମଧ୍ୟ HODଙ୍କ ନାଁରେ ଅଭିଯୋଗକୁ ଗ୍ରହଣ କଲେନି । ମାତ୍ର ସାର୍ଙ୍କ ବ୍ୟବହାର ଠିକ୍ ନ ଥିଲା ବୋଲି ପଚାରି ବୁଝି ପାରିଲୁ । ତେଣୁ ରିପୋର୍ଟରେ HODଙ୍କୁ ଭଲ ବ୍ୟବହାର ପାଇଁ ଲେଖିଥିଲୁ ଏବଂ HODଙ୍କୁ ତୁରନ୍ତ ବଦଳାଇବାକୁ ଲେଖିବା ସହ ମୌଖିକ ଭାବେ ମଧ୍ୟ କହିଥିଲୁ । ହୁଏତ HODଙ୍କୁ ତୁରନ୍ତ ବଦଳାଇଥିଲେ ପିଲା ଖୁସି ହୋଇଥାନ୍ତା, ନ୍ୟାୟ ପାଇଁ ଆଶା ରଖିଥାନ୍ତା ବୋଲି କହିଛନ୍ତି ସଦସ୍ୟ ମୀନତି ସେଠୀ ।