ଖୋଲିଲା ହୀରାକୁଦ ଗେଟ୍, ମୋଟ୍ ୨୦ଟି ଗେଟ୍ ନିଷ୍କାସିତ ହେଉଛି ଜଳ

ସମ୍ବଲପୁର: ବଢି ଚାଲିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢୁଛି ଜଳସ୍ତର । ଗତକାଲି ୮ଟି ଗେଟ୍ ଦେଇ ବନ୍ୟା ଜଳ ନିସ୍କାସିତ ହେଉଥିବା ବେଳେ ଆଜି ସୁଦ୍ଧା ୨୦ଟି ଗେଟ୍ ଖୋଲାଯାଇଛି । ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ସହ ଏବେ ହୀରାକୁଦରୁ ବନ୍ୟା ଜଳ ନିସ୍କାସନ କରାଯାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳ ଜିଲ୍ଲାମାନଙ୍କୁ ସତର୍କ କରାଯାଇଛି।

ସେପଟେ ଆଜିଠୁ ବଢ଼ିବ ସବୁ ନଦୀ ଗୁଡ଼ିକର ଜଳସ୍ତର । ଏନେଇ ସତର୍କ କରିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ  । ତଳିଆ ଅଞ୍ଚଳରେ ଅଧିକ ପାଣି ଜମିବା ନେଇ ସତର୍କତା ଜାରି କରାଯାଇଛି । କିନ୍ତୁ ବର୍ତ୍ତମାନ ସମସ୍ତ ନଦୀର ଜଳସ୍ତର ବିପଦ ସଂକେତ ତଳେ ବୋଲି କହିଲେ ସର୍ବୋଚ୍ଚ ଯନ୍ତ୍ରୀ । ଅନ୍ୟପଟେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅଞ୍ଚଳରେ ଏକ ଅବପାତ ସୃଷ୍ଟି ହୋଇଛି, ଯାହାକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ଗୁରୁତ୍ୱପୂର୍ଣ୍ଣ ସତର୍କ ସୂଚନା ଜାରି କରିଛି । ଏହି ଅବପାତ ପ୍ରଭାବରେ ଓଡ଼ିଶାରେ ୨୮ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।