ଚାଷୀଙ୍କ ପାଇଁ ଦାଉ ସାଜିଲା ଲଘୁଚାପ ବର୍ଷା

(ଗୋପ, ଜୟନ୍ତ କୁମାର ସେଠୀ): ଦାଉ ସାଜିଛି ଲଗାଣ ବର୍ଷା, ଚାଷ ଜମିରେ ଲହରୀ ଭାଙ୍ଗୁଛି ବର୍ଷା ଜଳ, ଜମିରେ ଅ।ଣ୍ଢୁଏ ଉଚ୍ଚର ପାଣି ଜମି ରହିଥବା ଵେଳେ ଋଣ ସୁଝିବା ନେଇ ଚିନ୍ତାରେ ପଡିଛି ଚାଷୀ ପରିବାର ।

ଚାଷୀର ମେରୁଦଣ୍ଡ ଦୋହଲାଇ ଦେଇଛି ଲଘୁଚାପ ଜନିତ ବର୍ଷା । ବର୍ଷା ଛାଡିଯାଇଛି ହେଲେ ଚାଷୀଙ୍କର ଦୁର୍ଦ୍ଦଶା ବଢାଇ ଦେଇଛି ,ଚାଷ ଜମିରେ ବୁଣା ଯାଇଥିବା ବିହନ ଗଜା ନ ହୋଇ ପାଣିରେ ନଷ୍ଟ ହୋଇଥିବା ବେଳେ ତଳି ପାଣିରେ ରହି ପଚିସଢି ଗଲାଣି । ପିପିଲି ବ୍ଲକର ହେକ୍ଟର ହେକ୍ଟର ଚାଷ ଜମିର ଏଭଳି ଅବସ୍ଥା ଥିବା ବେଳେ ବିଶେଷକରି କୁଳଶେଖର ପଞ୍ଚାୟତ, ତେଇଶିପୁର, ସରସ୍ଵତୀପୁର, ଦୁର୍ଗାଦାଶପୁର, ମଙ୍ଗଳପୁର, କଣ୍ଟି, ପାଣିଦୋଳ, ପୋପରଙ୍ଗା, ଭାରତୀପୁର, ଲକ୍ଷ୍ମୀନାରାୟଣପୁର ଏବଂ ରୂପଦେଇପୁର ଆଦି ପଞ୍ଚାୟତରେ ବ୍ୟାପକ କ୍ଷତି ହୋଇଛି । ସେପଟେ ପାଖରେ ବିହନ ନ ଥିବାରୁ ଚାଷ କିଭଳି କରିବେ ଓ କିପରି ଋଣ ସୁଝି ପରିବାର ଭରଣ ପୋଷଣ କରିବେ ତାହାକୁ ନେଇ ଚାଷୀ ଚିନ୍ତାଗ୍ରସ୍ତ ହୋଇ ପଡିଛନ୍ତି । ସରକାରୀ ସାହାଯ୍ୟକୁ ଅପେକ୍ଷା କରିଥିବା ଚାଷୀ ବିହନ ଓ ଋଣ ଛାଡ କରିବାକୁ ସରକାରଙ୍କୁ ଦାବୀ କରିଛି ।