ଯାଜପୁର: ୫ ବର୍ଷ ପରେ ଦୁଷ୍କର୍ମ ଘଟଣାର ମିଳିଛି ନ୍ୟାୟ । ଦୋଷୀକୁ ୧୦ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି ଯାଜପୁର ଜିଲ୍ଲା ଦୌରାଜଜ୍ । ଏଥିସହ ୧ ଲକ୍ଷ ଟଙ୍କାର ଜରିମାନା ନଚେତ ଅତିରିକ୍ତ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଅତିରିକ୍ତ ଦୌରାଜଜ୍ ଏବଂ ଫାଷ୍ଟ୍ରକ ଜଜ ।
୨୦୧୬ ମସିହାରେ ଯାଜପୁର ରୋଡ ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାର ଆସିଛି ରାୟ । ଯାଜପୁର ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡ ସହିତ ୧ ଲକ୍ଷ ଟଙ୍କାର ଜରିମାନା ଦେଇଛନ୍ତି । ତେବେ ଟଙ୍କା ପରିବର୍ତ୍ତେ ଏକ ବର୍ଷ ଅଧିକ ଜେଲ ଭୋଗିବାର ରାୟ ଶୁଣାଇଛନ୍ତି ଦୌରାଜଜ୍ । ଏଥିସହ ନାବାଳିକାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ବୋର୍ଡଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି ।
ଗତ ୨୦୧୬ ମସିହାରେ ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ବ୍ୟାସ ସରୋବର ମେଳା ଦେଖିବାକୁ ଯାଇଥିବା ସେହି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଜଣେ ଗାଡି ଚାଳକ ଘରେ ଛାଡିବାକୁ ନେଇଥିବା ବେଳେ ବାଟରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ତେବେ ଏ ନେଇ ୧୨ ଜଣ ସାକ୍ଷୀଙ୍କ ଶୁଣାଣି ପରେ ଆଜି ୧୦ ବର୍ଷ ଜେଲ ଦଣ୍ଡ ବିଧାନ କରାଯାଇଛି ।