ଛତ୍ରପୁର : ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ କାଲିପଲ୍ଲୀ ଗ୍ରାମର ସେନା ଯବାନ ଜେ.ଡିଲେଶ୍ୱର ପାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ଓ ହତ୍ୟା ଘଟଣାରେ ପୋଲିସ ୫ଜରଙ୍କୁ ଗିରଫ କରିଛି । ଭଅିଯୁକ୍ତମାନେ ହେଲେ କାଳିପଲ୍ଲୀ ଗ୍ରାମର ସିଏଚ୍.ଶେଖର ପାତ୍ର(୨୩), ଜେ.କଲ୍ୟାଣୀ ପାତ୍ର(୧୯) ଓ ବି.ଚିନେୟା ପାତ୍ର(୨୬) ଏବଂ ନିମଖଣ୍ତି ଥାନା ଜି.ଜଗନ୍ନାଥପୁର ପାଲିଗାଁର ସିଏଚ୍.ବିକି କୁମାର ପାତ୍ର(୨୬) ଓ ବି. ବୁଲୁ ପାତ୍ର(୨୬)। ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ରାମକୃଷ୍ଣ ସ୍ବାଇଁ ଓରଫ୍ ମାଖନ ଫେରାର ଥିବା ବେଳେ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି। ଏହାସହ ଘଟଣାରେ ଅନ୍ୟ କାହାରି ସଂପୃକ୍ତିକୁ ନେଇ ତଦନ୍ତ ଜାରି ରହିଛି ବୋଲି ଗଞ୍ଜାମ ଏସ୍ପି ଜଗମୋହନ ମୀନା ସୂଚନା ଦେଇଛନ୍ତି।
ଗଣେଶ ପୂଜା ଭସାଣି ବେଳେ ଗଣ୍ଡଗୋଳରୁ ଛକାପଞ୍ଝା ଚାଲିଥିଲା। ଏକ କ୍ରିକେଟ୍ ମ୍ୟାଚ୍ରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡିଲେଶ୍ବରଙ୍କୁ ବିରୋଧୀ ଗୋଷ୍ଠୀ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ଯବାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
ସୂଚନାନୁସାରେ, ଗଣେଶ ପୂଜା ସମୟରେ ଡିଲେଶ୍ବର ଗାଁକୁ ଆସିଥିବା ବେଳେ ଭସାଣି ବେଳେ ଦୁଇ ଯୁବଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା। ଡିଲେଶ୍ବର ଗୋଟିଏ ଗୋଷ୍ଠୀର ନେତୃତ୍ବ ନେଉଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଅଭିଯୁକ୍ତ ସିଏଚ୍.ଶେଖର ପାତ୍ର ଓ ବି.ଚେନେୟା ପାତ୍ର ନେତୃତ୍ବ ନେଉଥିଲେ। ସେତେବେଳେ ଗ୍ରାମବାସୀଙ୍କ ଉପସ୍ଥିତିରେ ଏହାର ସମାଧାନ ହୋଇଥିଲା।