କେନ୍ଦ୍ରାପଡ଼ା: ସମୁଦ୍ରରେ ବୋଟ୍ ବୁଡ଼ିଲା, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସତଭାୟା ସମୁଦ୍ରରେ ବୁଡ଼ିଲା ବୋଟ୍ । ଏହି ଘଟଣାରେ ଅଳ୍ପକେ ବର୍ତ୍ତିଗଲେ ବୋଟ୍ରେ ଥିବା ୮ ଜଣ ମତ୍ସ୍ୟଜୀବୀ । ତାରିଣୀ -୨ ନାମକ ଏକ ବୋଟ୍ ଦୁର୍ଘଟଣାରେ ବୁଡ଼ିଥିବା ସୂଚନା । ଗୁରୁବାର ବିଳମ୍ବିତ ରାତିରେ ମଝି ସମୁଦ୍ରରେ ଏଭଳି ଅଘଟଣ ଘଟିଛି । ଏହି ବୋଟଟି ଭଦ୍ରକ ଅଞ୍ଚଳର ବୋଲି ଜଣା ପଡିଛି ।
ସୂଚନା ଅନୁଯାୟୀ, ସମୁଦ୍ରକୁ ବୋଟ ମାଛ ମାରିବା ପାଇଁ ଆସିଥିବା ବେଳେ କୌଣସି କାରଣ ବଶତଃ ବୋଟ୍ଟି ସମୁଦ୍ର ମଝିରେ ବୁଡିଯାଇଥିବା ସୂଚନା ମିଳିଛି । ବୋଟରେ ୮ ଜଣ ମତ୍ସ୍ୟଜୀବୀ ଥିଲେ। କିନ୍ତୁ ଦୁର୍ଘଟଣାରେ ବୋଟଟି ବୁଡିଯିବାରୁ ମତ୍ସ୍ୟଜୀବୀମାନେ ପହଁରି ପହଁରି କୂଳକୁ ଆସିଥିଲେ । ବୋଟ୍ରେ ଥିବା ସମସ୍ତ ମତ୍ସ୍ୟଜୀବୀ ମାନେ ସୁରକ୍ଷିତ ଥିବା ଜଣାପଡିଛି ।
ତେବେ ମତ୍ସ୍ୟଜୀବୀ ମାନେ ମାଛ ଧରି ମାଛ ସବୁ ବୋଟ୍ରେ ରଖିଥିଲେ । ବୋଟ୍ ବୁଡିବା ସହ ବୋଟ୍ରେ ଥିବା ମାଛ ସବୁ ସମୁଦ୍ର ଗର୍ଭରେ ବୁଡ଼ିଯାଇଛି । ଏହାସହ ବୋଟ୍ରେ ଥିବା ମତ୍ସ୍ୟଜୀବୀଙ୍କର ସମସ୍ତ ଆସବାବପତ୍ର ମଧ୍ୟ ସମୁଦ୍ରରେ ବୁଡିଯାଇଛି ।