ଗୋରୁ ବ୍ୟବସାୟୀଙ୍କ ଉପରେ ଦୁବୃର୍ତ୍ତଙ୍କ ୪ ରାଉଣ୍ଡ ଗୁଳି : ୧୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ, ବ୍ୟବସାୟୀ ମୃତ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ହାଟବାଦଡା ସାପ୍ତାହିକ ବୁଧବାର ହାଟରେ ଭୋର ୫,୩୦ ମଧ୍ୟରେ ଜଣେ ଗୋରୁ ବ୍ୟବସାୟୀଙ୍କ ଉପରେ ଦୁବୃର୍ତ୍ତ ମାନେ ଅତର୍କିତ ଭାବେ ଗୁଳି କରି ୧୯ ଲକ୍ଷ ଟଙ୍କା ଲୁଟ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଯାହାକି ସାରା ମୟୂରଭଞ୍ଜ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନାଯୋଗ୍ୟ ପଶ୍ଚିମବଙ୍ଗ ରାଜ୍ୟର ଝାଡଗ୍ରାମ ଜିଲ୍ଲାର ଚିଚିଡା ଗ୍ରାମର ସେକ ସାମସୁଦ ଅଲ୍ଲୀ (୪୫) ଏବଂ ସହଯୋଗୀ ୪ ଜଣ ସାପ୍ତାହିକ ହାଟବାଦଡା ଗୋରୁହାଟକୁ ଗୋରୁ ବ୍ୟବସାୟୀ ପାଇଁ ଆସିଥିଲେ ।ପୂର୍ବ ଯୋଜନାବଦ୍ଧ ଅନୁଯାୟୀ ଦୁବୃର୍ତ୍ତ ମାନେ ଲୁଚିକରି ଆଜି ଭୋର ସମୟରେ ଖୁବ କମ ଲୋକ ଥିବା ସମୟରେ ସୁଯୋଗ ଉଣ୍ଡି ଗୋରୁ ବେପାରୀ ସାମସୁଦ ଅଲ୍ଲୀଙ୍କ ପାଖରେ ପହଞ୍ଚି ଅତର୍କିତ ଭାବେ ୪ ରାଉଣ୍ଡ ଗୁଳିକରି ୧୯ ଲକ୍ଷ ଟଙ୍କା ଲୁଟ କରି ଘଟଣାସ୍ଥଳରୁ ଦୁଇଟି ବାଇକରେ ୪ ଜଣ ଫେରାର ହୋଇଯାଇଥିଲେ ।

ସେକ ସାମସୁଦ ଅଲ୍ଲୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ଭର୍ତ୍ତି କରାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ରାଇରଙ୍ଗପୁର ଡାକ୍ତରଖାନା ଲୋକାରଣ୍ୟ ହୋଇଉଠିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି ।ସମଗ୍ର ମୟୂରଭଂଜ ଜିଲ୍ଲାରେ ପୋଲିସ ଏଲର୍ଟ ଅଛି ।ସମଗ୍ର ଜିଲ୍ଲାରେ ଗୋରୁ ବ୍ୟବସାୟ ନେଇ ଅଶାନ୍ତ ହେଉଛି ମୟୂରଭଞ୍ଜ ଜିଲ୍ଲା । କିଛି ଦିନ ତଳେ ଗୋମାଫିଆମାନେ ଦୁଇ ଗୋରକ୍ଷକଙ୍କୁ ଗୁଳି ମାରିଥିଲେ ଏବଂ ଏଥିରେ ସଂପୃକ୍ତ ୧୩ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣା ନ ଲିଭୁଣୁ ଆଜି ପୁନର୍ବାର ହାଟବାଦଡାରେ ଗୋରୁ ବ୍ୟବସାୟୀ ଉପରେ ଗୁଳିମାଡ଼ରେ ମୃତ ଘଟଣାକୁ ନେଇ ପୋଲିସର ମୁଣ୍ଡବ୍ୟଥା ହୋଇଯାଇଛି । ସାରା ଜିଲ୍ଲାରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।