ଅଗ୍ନି ନିରାପତ୍ତା ପ୍ରଥମ, ପରେ ନିର୍ମାଣ: ସରକାରଙ୍କ କଠୋର ନିୟମ ଜାରି

ଭୁବନେଶ୍ଵର: ଓଡିଶା ସରକାର ସରକାରୀ କୋଠା ନିର୍ମାଣ ପ୍ରକଳ୍ପ ପାଇଁ ଅଗ୍ନି ନିରାପତ୍ତାକୁ ବାଧ୍ୟତାମୂଳକ କରି କଠୋର ନିୟମ ଜାରି କରିଛନ୍ତି। ଏହା ଅନୁଯାୟୀ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରିବା ପୂର୍ବରୁ କୌଣସି କୋଠା ନିର୍ମାଣକୁ ଅନୁମତି ମିଳିବ ନାହିଁ।

ନିକଟରେ ଘଟିଥିବା ଏସସିବି ଅଗ୍ନିକାଣ୍ଡ ପରେ ସରକାର ଏହି ବିଷୟରେ ଅଧିକ ସଚେତନ ହୋଇଛନ୍ତି। ଏହି ଘଟଣା ପରେ ସାର୍ବଜନୀନ ସ୍ଥାନର ସୁରକ୍ଷା ମାନଦଣ୍ଡକୁ ବଳିୟାନ କରିବା ଓ ଅଗ୍ନି ଜନିତ ବିପଦକୁ କମେଇବା ଉଦ୍ଦେଶ୍ୟରେ ନୂତନ ନିର୍ଦ୍ଦେଶାବଳୀ ଆଣାଯାଇଛି।ପୂର୍ତ୍ତ ବିଭାଗ ଜାରି କରିଥିବା ଏହି ନିୟମ ଅନୁଯାୟୀ, କୌଣସି ପ୍ରକଳ୍ପକୁ ଅନୁମୋଦନ ଦେବା ପୂର୍ବରୁ ପ୍ରାଧିକୃତ ସଂସ୍ଥା ଦ୍ୱାରା ଯୋଜନାର ସମ୍ପୂର୍ଣ୍ଣ ଯାଞ୍ଚ କରାଯିବ। ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଯୋଜନା ପର୍ଯ୍ୟାୟରୁ ମଧ୍ୟ ସମ୍ମିଳିତ କରିବା ଆବଶ୍ୟକ ହେବ।

ଏହାସହିତ, ନିର୍ମାଣ ଆରମ୍ଭ ପୂର୍ବରୁ ଡେଭଲପରମାନେ ଓଡ଼ିଶା ଅଗ୍ନିଶମ ସେବା ବିଭାଗରୁ ଅଗ୍ନି ନିରାପତ୍ତା କ୍ଲିୟରାନ୍ସ ପ୍ରମାଣପତ୍ର ନେବାକୁ ବାଧ୍ୟ ହେବେ। ଏହି ପ୍ରମାଣପତ୍ର ବିନା କୌଣସି ପ୍ରକଳ୍ପକୁ ଆଗକୁ ବଢ଼ିବାକୁ ଅନୁମତି ଦିଆଯିବ ନାହିଁ। ନୂତନ ନିୟମ ଅନୁଯାୟୀ, ସମସ୍ତ ସରକାରୀ କୋଠାରେ ନିମ୍ନଲିଖିତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅନିବାର୍ଯ୍ୟ ହେବ:

  • ଅଗ୍ନି ନିର୍ବାପନ ଉପକରଣ ଓ ବ୍ୟବସ୍ଥା
  • ଆଲାର୍ମ ଏବଂ ଅଗ୍ନି ଚିହ୍ନଟ ପ୍ରଣାଳୀ
  • ସ୍ପଷ୍ଟ ଭାବରେ ଚିହ୍ନିତ ଜରୁରୀକାଳୀନ ପ୍ରସ୍ଥାନ ପଥ
  • ଅଗ୍ନିଶମ କର୍ମଚାରୀଙ୍କ ପାଇଁ ସହଜ ପ୍ରବେଶ ବ୍ୟବସ୍ଥା

ଏଥିସହିତ କର୍ତ୍ତୃପକ୍ଷମାନେ ବର୍ତ୍ତମାନର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ, ଅଭାବ ଚିହ୍ନଟ କରିବେ ଏବଂ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ନେବେ। ହସ୍ପିଟାଲ, ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟ ଭଳି ଅଧିକ ଭିଡ଼ ଥିବା ସ୍ଥାନଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ସରକାର ପକ୍ଷରୁ କୁହାଯାଇଛି।