ଖଡଗପୁର : ଓଡିଶା ଆସୁଥିବା ବସରେ ଲାଗିଲା ନିଆଁ । ପଶ୍ଚିମବଙ୍ଗ କୋଲକାତା ବାବୁଘାଟରୁ ପାରାଦୀପ ଅସୁଥିଲା ଯାତ୍ରୀବାହୀ ବସ । ଖଡଗପୁର ନିକଟରେ ଚଳନ୍ତା ବସରେ ଲାଗିଯାଇଥିଲା ନିଆଁ । ଅଗ୍ନିକାଣ୍ଡରେ କେନ୍ଦ୍ରାପଡାର ମର୍ଶାଘାଇ ବ୍ଲକର ନୋଳିଆ ଚକପୁର ଗାଁର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳାଙ୍କ ନାଁ ପୁଷ୍ପଞ୍ଜଳୀ । ସେ ତାଙ୍କ ପରିବାର ଲୋକ ସହ ଘରକୁ ଫେରୁଥିଲେ । ଅଗ୍ନିକାଣ୍ଡରେ ୩୦ ଜଣରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଆହତ ସମସ୍ତ ଯାତ୍ରୀଙ୍କୁ ମେଦିନିପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ରାତି ପ୍ରାୟ ସାଢେ ୯ଟା ସମୟରେ କୋଲକାତାରୂ ପାରାଦୀପ ଆସୁଥିବା ଶିବମ ବସ ଖଡ଼ଗପୁର ଡେବ୍ରା ମାଧପୁର ଠାରେ ନିଆଁ ଲାଗି ଜଳିଯାଇଥିଲା ଯାତ୍ରୀବାହୀ ବସ । ନିଆଁ ଲାଗିବା ପରେ କିଛି ଯାତ୍ରୀ ବସ୍ର ଝରକା କାଚ ଭାଙ୍ଗି ବାହାରକୁ ଡେଇଁପଡ଼ିଥିଲେ। ୩୬ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପରେ ଛାଡ଼ିଦିଆ ଯାଇଛି। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ମେଦିନୀପୁର ମେଡିକାଲ୍ କଲେଜ ହସ୍ପିଟାଲ୍ ଏବଂ ଗ୍ରାମୀଣ ଡାକ୍ତରଖାନାକୁ ନେଇଥିଲେ। ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ବେଳେ ୪ ଟି ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି। ବସରେ ଥିବା ଯାତ୍ରୀଙ୍କ ବହୁ ସାମଗ୍ରୀ ଜଳି ଯାଇଛି ।

ଖବର ପାଇ ବାଲେଶ୍ୱର ଜିଲ୍ଲାପାଳଙ୍କ ପକ୍ଷରୁ ଆମ୍ବୁଲାନ୍ସ ସହ ଏକ ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ପଠାଯାଇଥିଲା । ଜଳେଶ୍ୱର ତହସିଲଦାର ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ । ଓଡିଶାର ଆହତ ମାନଙ୍କୁ ଏକ ସ୍ୱତନ୍ତ୍ର ବସରେ ଅଣାଯାଇଛି ।

ବସ୍ ଡିକିରେ ବାଣ ଆସୁଥିବାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ପ୍ରାଥମିକ ଭାବେ କୁହାଯାଉଛି। ତେବେ ପଶ୍ଚିମବଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି। ବସ୍ରେ ଆସୁଥିବା ଅଧିକାଂଶ ଯାତ୍ରୀ ମହାକାଳପଡ଼ା ଓ ପାରାଦୀପ ଅଞ୍ଚଳର ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ବସର ଚାଳକ, କଣ୍ଟକ୍ଟରଙ୍କ ସହ ଅନେକ ଯାତ୍ରୀଙ୍କ କୌଣସି ସୂଚନା ମିଳିପାରୁନଥିବା ଜଣାପଡ଼ିଛି।