ନୀଳଗିରି-: ଅଡୁଆରେ ବିଜେପିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ। ସନ୍ତୋଷଙ୍କ ବିରୋଧ ବଢିଚାଲିଛି ଅସନ୍ତୋଷ । ବିଭିନ୍ନ ଥାନାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବିଜେଡି ବାଲେଶ୍ୱର ସାଂସଦ ପାର୍ଥିନୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ନୀଳଗିରି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶତାଧିକ ମହିଳା ନୀଳଗିରି ଥାନାରେ ତିନୋଟି ପୃଥକ ପୃଥକ ଅଭିଯୋଗ କରିଛନ୍ତି। ସନ୍ତୋଷଙ୍କ ନାମରେ ହାତୀ ଦାନ୍ତ ଚାଲାଣକାରୀଙ୍କୁ ସୁରକ୍ଷା ଦେବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର। ଜବାବରେ ବିଧାୟକ ଖରାପ ଭାଷାରେ ଲେଖାଶ୍ରୀଙ୍କୁ ଇଙ୍ଗିତ କରିଥିଲେ । ଏହାର ପ୍ରତିବାଦରେ ବାଲେଶ୍ୱର ବିଜୁ ମହିଳା ଜନତା ଦଳ ଏତଲା ଦେଇଥିବା ବେଳେ ଭୁବନେଶ୍ୱର ମହିଳା ଥାନାରେ ବି ଏତଲା ଦାୟର କରିଛି ବିଜେଡି । ବିଧାୟକ ସନ୍ତୋଷ ଖଟୁଆଙ୍କ ଏପରି ଆଚରଣ ଓ ଉଚ୍ଚାରଣକୁ ସବୁଠି ନାପସନ୍ଦ କରାଯାଇଛି। ରାଜନୀତିରେ ବ୍ୟକ୍ତିଗତ ଆକ୍ଷେପକୁ ଜୋରଦାର ସମାଲୋଚନା । କେବଳ ବିଜେଡି ନୁହେଁ, ନିଜ ଦଳର ନେତ୍ରୀ ମଧ୍ୟ ବିଧାୟକଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ବାଲେଶ୍ୱର ଜିଲ୍ଲା ପରିଷଦ ସଭ୍ୟ ଉଷାରାଣୀ ରାଉଳ କହିଛନ୍ତି, ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ମନ୍ତବ୍ୟ ନାରୀ ସମାଜ ପ୍ରତି ଅସମ୍ମାନ ।