ଆନ୍ଧ୍ର-ଓଡ଼ିଶା ସୀମାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା: ୩୩ ଟ୍ରେନ୍ ବାତିଲ

ଭୁବନେଶ୍ବର: ଆନ୍ଧ୍ର-ଓଡ଼ିଶା ସୀମାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ସଂଖ୍ୟା ୧୪ ଛୁଇଁଛି। ଏନେଇ ଆନ୍ଧ୍ର ପ୍ରଦେଶ ରାଜସ୍ବ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନ ୩ଟା ରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବେ।

ସେପଟେ ଟ୍ରେନ୍ ଦୁର୍ଘଟଣା ପରେ ୩୩ ଟ୍ରେନ୍ ବାତିଲ କରାଯାଇଛି । ଭୁବନେଶ୍ୱରରୁ ଛାଡିବାକୁ ଥିବା ଭୁବନେଶ୍ୱର- ବିଶାଖାପାଟଣା ଇଂଟରସିଟି ଏକ୍ସପ୍ରେସ୍ ବାତିଲ କରାଯାଇଛି । ବିଶାଖାପାଟଣାରୁ ଛାଡିବାକୁ ଥିବା ବିଶାଖାପାଟଣା-ଭୁବନେଶ୍ୱର ଇଂଟରସିଟି ଏକ୍ସପ୍ରେସ୍ ମଧ୍ୟ ବାତିଲ ହୋଇଛି ।

ବିଶାଖାପାଟଣାରୁ ଯିବାକୁ ଥିବା ବିଶାଖାପାଟଣା-ପଲାସା ପାସେଞ୍ଜର ଓ ପଲାସାରୁ ଛାଡିବାକୁ ଥିବା ପଲାସା-ବିଶାଖାପାଟଣା ପାସେଞ୍ଜର ମଧ୍ୟ ବାତିଲ କରାଯାଇଛି । ସେହିପରି ବିଶାଖାପାଟଣାରୁ ବାହାରୁଥିବା ବିଶାଖାପାଟଣା-ତିରୁପତି ଓ ତିରୁପତିରୁ ଛାଡୁଥିବା ତିରୁପତି-ବିଶାଖାପାଟଣା ଏକ୍ସପ୍ରେସ୍ ମଧ୍ୟ ଆଜି ଚାଲିବ ନାହିଁ । ଏହା ସହ ବ୍ରହ୍ମପୁର-ବିଶାଖାପାଟଣା ଓ ବିଶାଖାପାଟଣା ବ୍ରହ୍ମପୁର ଟ୍ରେନ୍ ଆଜି ପାଇଁ ବାତିଲ କରାଯାଇଛି ।