ବେଙ୍ଗାଲୁରୁ : ଭାରତୀୟ କୃଷକ ୟୁନିୟନ ନେତା ରାକେଶ ଟିକାୟତଙ୍କ ଉପରେ ଦୁର୍ବୃତ୍ତଙ୍କ କାଳି ଫୋପଡାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବେଙ୍ଗାଲୁରୁ ପ୍ରେସ କ୍ଲକର ଗାନ୍ଧୀ ଭବନରେ ଆୟୋଜିତ ଏକ ପ୍ରେସ କନଫରେନ୍ସରେ ଯୋଗ ଦେବାକୁ ଶ୍ରୀ ଟିକାୟତ ଏବଂ ତାଙ୍କା ସହଯୋଗୀ ୟୁଦ୍ଧବୀର ସିଂହ ବେଙ୍ଗାଲୁରୁ ଯାଇଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ମୁହଁରେ କାଳି ଫୋପାଡି ଥିଲେ । ପରେ ଟିକାୟତଙ୍କ ସମର୍ଥକ ମାନେ ସେହି ବ୍ୟକ୍ତିଙ୍କୁ ଧରି ବେଶ ଉତ୍ତମ ମଧ୍ୟମ ଦେଇ ପୋଲିସ ହାତରେ ସମର୍ପଣ କରିଥିଲେ । ଏହି ଘଟଣାରେ ବେଙ୍ଗାଲୁରୁ ପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ରାଜ୍ୟ ପୋଲିସ ପକ୍ଷରୁ କୌଣସି ସୁରକ୍ଷାର ବ୍ୟବସ୍ଥା ହୋଇନଥିବା ଯୋଗୁଁ ହେଉ ବା ରାଜ୍ୟ ସରକାର ମିଳିତ ସହଯୋଗରେ ଏପରି କାର୍ଯ୍ୟ ହୋଇଥିବା ନେଇ ଟିକାୟତ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, କର୍ଣ୍ଣାଟକ ରାଜ୍ୟ କୃଷକ ନେତା କେ.ଚନ୍ଦ୍ରଶେଖର ଲାଞ୍ଚ ମାଗିବା ଘଟଣାରେ ଧରାପଡିଥିଲେ । ଏପରି କୃଷକ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ଆବଶ୍ୟକ ବୋଲି ଟିକାୟତ କହିଛନ୍ତି । ତେବେ ଏସମ୍ପର୍କରେ ସ୍ପଷ୍ଟିକରଣ ଦେବା ପାଇଁ ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ସମୟରେ ରାଜ୍ୟ କୃଷକ ନେତା ଚନ୍ଦ୍ରଶେଖରଙ୍କ ସମର୍ଥକ ଏପରି କାଣ୍ଡ କରିଛନ୍ତି । ତେବେ ଏପରି ଘଟଣାରେ ଭୟଭୀତ ନୁହଁନ୍ତି ବୋଲି ଶ୍ରୀ ଟିକାୟତ ପ୍ରକାଶ କରିଛନ୍ତି ।