ଅବହେଳିତ ଓଡିଆ ବୀର ପୁତ୍ର ବାଜି ରାଉତଙ୍କ ପରିବାର

(କଳ୍ପତରୁ ଜେନା /ଭୁବନ): ୧୯୩୮ ମସିହା ଅକ୍ଟୋବର ୧୧ ତାରିଖ। ଇଂଗ୍ରେଜ ଗୁଳିରେ ଟଳିପଡିଲେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ନିଳକଣ୍ଠପୁର ଗାଁର ୧୨ ବର୍ଷର ବାଳକ ବାଜି ରାଉତ । ଇଂଗ୍ରେଜ ମାନେ ଭୁବନରେ ୧୦ ତାରିଖରେ ଦମନ ଲିଳା କରିବା ପରେ ଭୋର ସମୟରେ ନିଳକଣ୍ଠପୁର ଘାଟରେ ପହଞ୍ଚି ଥିଲେ । ସେତେବେଳେ ଚାଲିଥିଲା ପ୍ରଜାମେଳି । ଭୁବନରୁ ଖବର ପହଞ୍ଚିଲା ଫିରିଙ୍ଗି ଯାଉଛନ୍ତି ଯେମିତି ନଦୀ ପାର ନହୁଅନ୍ତି। ଆଉ ସେହି ସମୟରେ ଘାଟରେ ଥିଲେ ବାଜି। ଇଂଗ୍ରେଜଙ୍କୁ ସେ ସମ୍ନା କଲେ। ଆଉ ତାଙ୍କର ଗୁଳିରେ ଟଳି ପଡିଲେ ୧୨ ବର୍ଷର ବାଳକ ବାଜି ରାଉତ।
ଅନେକ ବର୍ଷ ବିତିଯାଇଛି । ହେଲେ ଆଜି ତାଙ୍କର ବଂଶଧର ମାନେ ଅତି ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ବାଜିରାଉତଙ୍କ ସାନ ଭାଇ ବଈଦ ରାଉତଙ୍କର ମାତ୍ର ୫ ବର୍ଷ ବୟସରେ ବସନ୍ତ ରୋଗରେ ମୃତ୍ୟୁ ହୋଇଯାଇଥିଲା। ବାକି ରହିଯାଇଥିଲେ ତାଙ୍କର ବଡ ଭାଇ ନଟ ରାଉତ। ବାଜି ରାଉତଙ୍କ ମାଙ୍କ ସହ ବଡ ପୁଅ ନଟ ତାଙ୍କର ସ୍ତ୍ରୀ ଓ ୪ ପୁଅ ସେଠାରେ ରହୁଥିଲେ। ୧୯୬୦ ମସିହାରେ ତାଙ୍କର ମାଙ୍କ ମୃତ୍ୟୁ ହୋଇଥିଲା । ଏହା ସହ ସେହି ବର୍ଷ ଆସିଲା ପ୍ରଳୟଙ୍କରି ବନ୍ୟା।ଭାସିଗଲା ଘର । ସେବେଠୁ ନଟଙ୍କ ଜଣେ ପୁଅ ତାଙ୍କ ମାମୁଁ ଘରେ ଯାଇ ରହିଲେ। ବାକି ତିନି ଜଣ ଏବେ ନୟାନିଳ କଣ୍ଠପୁରରେ ଯାଇ ରହୁଛନ୍ତି। କିନ୍ତୁ ଏମାନଙ୍କୁ କାହାରିକୁ ସରକାରୀ ସାହାଯ୍ୟ ମିଳିପାରିନାହିଁ। ବାଜିରାଉତଙ୍କ ବଡ ପୁତୁରାଙ୍କୁ ୭୫ ବର୍ଷ ତାଙ୍କର ସ୍ତ୍ରୀ ମୁଢି ଭାଜି ତାକୁ ବିକି ଅତି କଷ୍ଟରେ ଚଳୁଛନ୍ତି। ଯେଉଁ ଘରଟି ଥିଲା ତାହା ରକ୍ଷଣାବେକ୍ଷଣା ଅଭାବରୁ ବର୍ଷାରେ ଭାଙ୍ଗିଗଲା। ତାଙ୍କର ବିଧବା ବୋହୁକୁ ମିଳିଥିବା ବିଜୁ ପକ୍କାଘରରେ ପରିବାରର ୫ ଜଣ ଅତି ଦୟନୀୟରେ ରହୁଛନ୍ତି। ବାକି ୨ ସାନ ଭାଇ ଓ ପରିବାର ଦାଦନ ଖଟି ଚଳୁଛନ୍ତି।ସେପଟେ ଢେଙ୍କାନାଳ ଜିଲ୍ଲାପରିଷଦ ଉପସଭାପତି ଆଗାମି ଦିନରେ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି। ବାଜି ରାଉତଙ୍କ ନାମରେ କଲେଜ,ସ୍କୁଲ,ସେତୁ,ବାଜିଛକ ଆଦି ତିଆରି ହୋଇଛି। ପ୍ରତ୍ୟେକଟି ଢେଙ୍କାନାଳ ବାସି ବାଜି ରାଉତଙ୍କ ସାହସ ଓ ବଳିଦାନକୁ ନେଇ ଗର୍ବ କରୁଛନ୍ତି।