କଂଗ୍ରେସ ଜିଲ୍ଲା ସଭାପତି ଏବଂ ବ୍ଲକ ସଭାପତିଙ୍କ ମଧ୍ୟରେ ମୁହାଁମୁହିଁ

ମାଲକାନଗିରି(ସୂର୍ଯ୍ୟକାନ୍ତ ବେହେରା): କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ କଂଗ୍ରେସରୁ ଇସ୍ତଫା ଦେବା ପରେ ମାଲକାନଗିରି ଜିଲ୍ଲା କଂଗ୍ରେସରେ ଆଲୋଡନ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଏବଂ ପଡିଆ ବ୍ଲକ କଂଗ୍ରେସ ସଭାପତି ଏମଡି ଫରୁଖଙ୍କ ମଧ୍ୟରେ ନିଜ ନିଜର କ୍ଷମତାକୁ ନେଇ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି ।
ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ତାଙ୍କ ପ୍ରେସ ବିଜ୍ଞପ୍ତିରେ ଲେଖିଛନ୍ତି ଯେ, କେତେକ ଅହେତୁକ କାରଣରୁ ଏବଂ ପଡିଆ ବ୍ଲକ କଂଗ୍ରେସ କମିଟିର ଦୃଢିକରଣ ନିମନ୍ତେ ଗଠନ କରାଯାଇଥିବା ବ୍ଲକ କଂଗ୍ରେସ କମିଟି ପଡିଆକୁ ବାତିଲ କରାଗଲା । ପଡିଆ ବ୍ଲକ କଂଗ୍ରେସ କମିଟି ସଭାପତି ଆଜି ଠାରୁ କୌଣସି କଂଗ୍ରେସ କାର୍ଯ୍ୟର ନିଷ୍ପତ୍ତି ନେଇ ପାରିବେ ନାହିଁ । ଅଳ୍ପ ଦିନ ମଧ୍ୟରେ ପଡିଆ କଂଗ୍ରେସ ସଭାପତି ଏବଂ ପୁନଃଗଠନ ନିମନ୍ତେ ନିଷ୍ପତ୍ତି ନିଆଯିବ । ଏହାର ଜବାବରେ ପଡିଆ ବ୍ଲକ କଂଗ୍ରେସ ସଭାପତି ଏମଡି ଫାରୁଖ କହିଛନ୍ତି ଯେ, ବ୍ଲକ କଂଗ୍ରେସ କମିଟିକୁ ପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତି ଦେଇଥିବାରୁ କୌଣସି ପରିସ୍ଥିତିରେ ପ୍ରଦେଶ କଂଗ୍ରେସ ସଭାପତି ହିଁ ଏହାକୁ ବାତିଲ କରି ପାରେବେ । ଯଦି ବ୍ଲକ କଂଗ୍ରେସ କମିଟିର କୌଣସି କର୍ମକର୍ତ୍ତା ଭୁଲ କରନ୍ତି, ତେବେ ଜିଲ୍ଲା କଂଗ୍ରେସ ସଭାପତିଙ୍କ କ୍ଷମତା ଅନୁଯାୟୀ ଏବଂ କଂଗ୍ରେସ ଦଳର ସମ୍ବିଧାନ ଅନୁଯାୟୀ କାରଣ ଦର୍ଶାଅ ନୋଟିସ ମଧ୍ୟ ପ୍ରେରଣ କରିପାରବେ । ଜିଲ୍ଲା କଂଗ୍ରେସ ସଭାପତିଙ୍କର ଏ ପ୍ରକାର ଆଚରଣ ପାଇଁ ଆଜି ମାଲକାନଗିରି ଜିଲ୍ଲାରେ କଂଗ୍ରେସ ଦୁର୍ବଳ ହେବାକୁ ଲାଗିଛି ବୋଲି ଏମଡି ଫାରୁଖ ପାଲଟା ଅଭିଯୋଗ କରିଛନ୍ତି ।