ନୂଆଦିଲ୍ଲୀ: ଚଳିତବର୍ଷ ଅଷ୍ଟ୍ରେଲିଆ ଟେଷ୍ଟ କ୍ରିକେଟର ସବୁଠାରୁ ଐତିହାସିକ ସିରିଜ୍ ଆଶେସ୍ ଆୟୋଜନ କରୁଛି । ଏହି ସିରିଜର ପ୍ରଥମ ମ୍ୟାଚ୍ ପର୍ଥ ଷ୍ଟାଡିୟମରେ ଆସନ୍ତା ନଭେମ୍ବର ୨୧ରେ ଖେଳାଯିବ । ସାରା ବିଶ୍ୱର କ୍ରିକେଟ୍ ପ୍ରେମୀ ଆଶେସ୍ ଆରମ୍ଭ ପାଇଁ ଉତ୍ସାହିତ ଥିବା ବେଳେ ସେପଟେ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ତାର ତାର ପ୍ଲେଇଂ-୧୨ ଖେଳାଳିଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ ଦୀର୍ଘ ସମୟ ଧରି ଟେଷ୍ଟରୁ ବାହାରେ ଥିବା ଦ୍ରୁତ ବୋଲର ମାର୍କ ଉଡଙ୍କ ନାମ ରହିଛି । ମାର୍କ ଉଡ୍ ଶେଷ ଥର ପାଇଁ ଅଗଷ୍ଟ ୨୦୨୪ରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ତେବେ ଫିଟନେସ୍ ସମସ୍ୟା ଯୋଗୁଁ ଉଡ୍ ଅନେକ ଦିନ ଧରି ଟେଷ୍ଟ ଦଳରୁ ବାହାରେ ଅଛନ୍ତି।ଇଂଲଣ୍ଡ ଶେଷ ଥର ପାଇଁ ୨୦୧୧ରେ ଅଷ୍ଟ୍ରେଲିଆରେ ଏକ ଟେଷ୍ଟ ମ୍ୟାଚ୍ ଜିତିଥିଲା । ସେବେଠାରୁ ସେମାନେ ସେଠାରେ ତିନିଥର ମ୍ୟାଚ୍ ଖେଳିଥିଲେ ମଧ୍ୟ ଥରେ ମାତ୍ର ଜିତିନାହାଁନ୍ତି ।

କହିରଖୁଛୁ ଯେ, ପର୍ଥ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଏକ ଅଭ୍ୟାସ ମ୍ୟାଚ୍ ଖେଳିଥିଲା । ଯେଉଁଥିରେ ଉଡଙ୍କ ଫିଟନେସ୍ ଉପରେ କିଛି ପ୍ରଶ୍ନ ଉଠିଥିଲା। କିନ୍ତୁ ଉଡଙ୍କୁ ଦଳରେ ସାମିଲ କରାଯିବା ପରେ ପ୍ରଥମ ଟେଷ୍ଟରେ ତାଙ୍କର ଅଂଶଗ୍ରହଣ ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି ।ଜୋଫ୍ରା ଆର୍ଚର, ଗସ୍ ଆଟକିନସନ୍ ଏବଂ ବ୍ରାଇଡନ୍ କାର୍ସେଙ୍କୁ ମଧ୍ୟ ପ୍ରମୁଖ ଦ୍ରୁତ ବୋଲର ଭାବରେ ପ୍ଲେଇଂ ଦ୍ୱାଦଶରେ ସାମିଲ କରାଯାଇଛି । ସେହିପରି ସୋଏବ ବଶିରଙ୍କୁ ଏକମାତ୍ର ସ୍ପିନ୍ ବୋଲର ଭାବରେ ସାମିଲ୍ କରାଯାଇଛି । ଏପରିସ୍ଥିତିରେ, ଇଂଲଣ୍ଡ ତିନି ଜଣ ଦ୍ରୁତ ବୋଲର ଏବଂ ଜଣେ ସ୍ପିନରଙ୍କ ସହିତ ଖେଳିବାକୁ ନିଷ୍ପତ୍ତି ନେଇପାରେ । ସେହିପରି ଅଧିନାୟକ ବେନ୍ ଷ୍ଟୋକ୍ସ ଚତୁର୍ଥ ଦ୍ରୁତ ବୋଲର ଭୂମିକା ଗ୍ରହଣ କରିବେ।