ହାତୀ ଆତଙ୍କ : ଚିନ୍ତାରେ ଚାଷୀ

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଏବେ ଘାରିଛି ଜଙ୍ଗଲୀ ହାତୀଙ୍କ ଚିନ୍ତା । ଗତ କିଛି ଦିନ ହେବ ହାତୀମାନଙ୍କ ପ୍ରାଦୁର୍ଭାବରେ ଭୟଭିତ ଅବସ୍ଥାରେ ଅଛନ୍ତି ଉଲୁଣ୍ଡା ଅଂଚଳର ଲୋକ । କାରଣ ସବୁ ବର୍ଷ ଭଳି ଚଳିତ ବର୍ଷ ଠିକ ଚାଷ ଅମଳ ସମୟରେ ଦେଖାଦେଇଛି ହାତୀଙ୍କ ଉପଦ୍ରବ । ଏବେ ଜଂଗଲ ଛାଡି ଗାଁକୁ ମୁହାଁଇଛନ୍ତି ହାତୀପଲ । ଲୋକଙ୍କ ଘରଦ୍ୱାର ଭାଂଗିବା ସହ ଖାଇଯାଉଛନ୍ତି ଧାନ ଫସଲ ।ଧାନ କୁ ଜଗିବା ପାଇଁ ହାତୀ ମଣିଷ ଲଢେଇ ଭିତରେ କେତେବେଳେ ହାତୀ ତ ଆଉ କେତେବେଳେ ଚାଲି ଯାଉଛି ମଣିଷର ଜୀବନ ।ଯାହାକୁ ନେଇ ଚିନ୍ତାରେ ଲୋକେ ।ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଅଞ୍ଚଳର ହାତୀ ଉପଦ୍ରବକୁ ନେଇ ଦେଖିବା ରିପୋର୍ଟ।

କାନ୍ଦ ବୋବାଳରେ ଫାଟି ପଡୁଛି ଗାଁ । ଘର ଭିରରେ ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ । ବାପ ଛେଉଣ୍ଡ ହୋଇଯାଇଛି ଘରର ବଢିଲା ଝିଅ । ଆଉ ନରମି ଯାଇଛି ପୁରା ଗାଁ । ଏଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ଜଉଁରା ଭଉଁରା ପଂଚାୟତର ଅଗନା ଅଗନି ଜଙ୍ଗଲ ଭିତରେ ରହିଥିବା ହତୀ ପାହୁଲ ଗାଁର ଦୃଶ୍ୟ । ଗତକାଲି ସଂନ୍ଧ୍ୟାରେ ଗାଁର ଉଗ୍ରେସେନ ଭୋଇ ଏବଂ ତାଙ୍କର ଦୁଇ ବଡୁପୁଅ ଧାନ ଜଗିବାକୁ ସିହାସନ ଜଙ୍ଗଲରେ ଥିବା ବିଲକୁ ଯାଇଥିଲେ । ହାତୀ ଘଉଡାଇଲା ବେଳେ ହାତୀ ହାବୁଡରେ ପଡି ଯାଇଥିଲେ ଉଗ୍ରେସେନ । ସେହିଠାରେ ହିଁ ଉଗ୍ରେସେନକୁ ଦନ୍ତା ହାତୀ ଦଳି ଚକଟି ମାରିଥିଲା । ସେଠାରେ ତାଙ୍କର ମୃତ୍ୟୁ ହେଇଥିବା ବେଳେ ଅଳ୍ପକେ ବର୍ତି ଯାଇଥିଲେ ଦୁଇ ବଡୁପୁଅ ।ଖବର ପାଇ ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ଚାଳିଶ ହଜାର ଟଙ୍କା କ୍ଷତି ପୁରଣ ଦିଆଯାଇଥିବା ବେଳେ ୧୫ ଦିନ ଭିତରେ ସରକାଙ୍କ ବିଧି ବ୍ୟବସ୍ଥାରେ ଥିବା ସହାୟତା ଯୋଗାଇ ଦିଆଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ଉଗ୍ରେସେନଙ୍କ ପରିବର ଗରିବ ଅସହାୟ ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ଦେବାକୁ ଦାବୀ କରିଛନ୍ତି ଗ୍ରାମ ବାସୀ ।