ପୁଣି ଏକ ଦନ୍ତା ହାତୀର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି । ହାତୀଟି ସପ୍ତାହେ ହେଲା ଅସୁସ୍ଥ ଥିଲା ବୋଲି ଜଣାପଡିଛି । ଶବ ବ୍ୟବଚ୍ଛେଦ ଓ ରକ୍ତ ନମୁନା ରିପୋର୍ଟ ଆସିବା ପରେ ଲିଭର ଜନିତ ସମସ୍ୟା କାରଣରୁ ମୃତ୍ୟୁ ଘଟିଥିବା ଜଣାପଡିଛି ।  ଅଭୟାରଣ୍ୟର ପମ୍ପାସ ନିକଟ ଜଙ୍ଗଲ ଜକାବୁ ଗାଁରେ ହାତୀଟି ଅସୁସ୍ଥ ଥିବା ବନ ବିଭାଗ ଖବର ପାଇଥିଲା । ତେବେ ବନ ବିଭାଗର ଅଧିକାରୀ ଓ ପ୍ରାଣୀ ଚିକିତ୍ସକମାନେ ହାତୀଟିର ଚିକିତ୍ସା କରିଥିଲେ ସୁଦ୍ଧା ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଦ୍ଧାର ଆସିନଥିଲା । ବୁଧବାର ଆଠଗଡ ବଡମ୍ବା ରେଞ୍ଜ ଚନ୍ଦ୍ରଗିରି ଜଙ୍ଗଲରୁ ଆଉ ଏକ ଦନ୍ତାର କଙ୍କାଳ ଜବତ କରାଯାଇଥିଲା । ଜାନିପଦର ବିଟ୍ ହାଉସ୍ ଖାରୋଡ ଗାଁ ନିକଟରୁ କଙ୍କାଳ ମିଳିଥିବା ନେଇ ଡିଏଫ୍ଓ ସୂଚନା ଦେଇଥିଲେ । ପୂର୍ବରୁ ସେଠାରେ ଦୁଇଟି କଙ୍କାଳ ମଧ୍ୟ ଜବତ କରାଯାଇଥିଲା । ତେବେ ରାଜ୍ୟରେ ଦିନକୁ ଦିନ ହାତୀଙ୍କ ମୃତ୍ୟୁକୁ ନେଇ ପରିବେଶବିତମାନେ ଉଦ୍ବେଗ ପ୍ରକାଶ କରିଛନ୍ତି ।