କାଜୁ ସଂଗ୍ରହ ବେଳେ ମହିଳାଙ୍କୁ ଗୋଠ ଛଡା ଦନ୍ତାର ଆକ୍ରମଣ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି

ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳ ଅଧିନସ୍ଥ ଚିତଲପୁରୁ ଗ୍ରାମର ଜଣେ ମହିଳାଙ୍କୁ ଶନିବାର ଭୋର ବେଳେ ଗୋଠ ଛଡା ଦନ୍ତା ଆକ୍ରମଣ କରିଥିବା ଜଣାପଡିଛି। ଦନ୍ତା ଆକ୍ରମଣରେ ଲହୁଲୁହାଣ ହୋଇଥିବା ମହିଳା ଜଣକ ହେଲେ ଗୋଲାପି ତରେଇ(୫0)।  ସୂଚନା ପାଇ ଘଟଣାସ୍ଥଳରେ କଣିହାଁ ବନାଞ୍ଚଳ ରେଞ୍ଜର ନୀଳମଣି ଦେହୁରୀ ଓ ସାଥୀ କର୍ମଚାରୀ ମାନେ ପହଁଚି ଗୋଲାପିଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗୋଲାପିଙ୍କୁ ୧0୮ଆମ୍ବୁଲାନ୍ସ ଯୋଗେ ବନବିଭାଗ ପକ୍ଷରୁ ମେଡିକାଲକୁ ପଠାଯାଇଛି ବୋଲି କଣିହାଁ ବନାଞ୍ଚଳ ଅଧିକାରୀ ଶ୍ରୀ ଦେହୁରୀ ସୂଚନା ଦେଇଛନ୍ତି।

 

ପ୍ରକାଶ ଥାଉକି, ସବୁଦିନ ଭଳି ଆଜି ଭୋର ବେଳେ ଗୋଲାପି କାଜୁ ସଂଗ୍ରହ କରିବା ପାଇଁ ଗାଁର କାଜୁ ବଗିଚାକୁ ଯିବା ବେଳେ ଗୋଠଛଡା ଦନ୍ତାଟି ହଠାତ  ଆକ୍ରମଣ କରିଥିଲା । ଫଳସ୍ୱରୂପ ଗୋଲାପିଙ୍କ ବାମ ପାଖ ଗୋଡ଼ରେ ଗଭୀର ଆଘାତ ହୋଇଛି  । କଣିହାଁ ବନବିଭାଗ  ପକ୍ଷରୁ ଦନ୍ତା ସ୍ଥାନୀୟ ଅଞ୍ଚଳରେ ବୁଲୁଥିବା ନେଇ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ କରାଯାଥିଲା  । ତାଳଚେର ବନାଞ୍ଚଳରୁ ୩ଦିନ ହେବ ଗୋଠ ଛଡା ହାତୀ କଣିହାଁ ବନାଞ୍ଚଳ ଇଲାକାରେ ଘୁରି ବୁଲୁଥିବା ବେଳେ ଆଜି ଭୋରରେ ଏଭଳି ଅଘଟଣ ଘଟିଥିବା ଜଣାଯାଇଛି ।