ଭୁବନେଶ୍ୱର: ଆଜି ହେଉଛି ଇଦ୍ ଉଲ ଫିତର୍ । ଯାହାକି ଇସଲାମ ଧର୍ମାବଲମ୍ବୀଙ୍କ ସବୁଠୁ ବଡ଼ ପର୍ବ । ଚଳଚଞ୍ଚଳ ହୋଇଛି ରାଜ୍ୟର ସବୁ ମସଜିଦ୍ ଓ ଇଦଗା ମୈଦାନ । ଏଥିପାଇଁ ସାରା ଦେଶରେ ଉତ୍ସବମୁଖର ପରିବେଶ। ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ ସମେତ ଓଡ଼ିଶାରେ ବି ପାଳନ ହେଉଛି ଇଦ୍। ଗତକାଲି ଶେଷ ରୋଜା ପରେ ଆଜି ପାଳନ ହେଉଛି ଇଦ୍। ଆଜି ଖାଇ ପିଇ ନମାଜ ପାଠ କରି ଦାନ ଧର୍ମ କରି ଇଦ୍ ପାଳନ କରାଯାଉଛି। ବଡ଼ ବଡ଼ ମସଜିଦରେ ସମୂହ ନମାଜ ପାଠ କରାଯିବ । ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ୍ ମୁବାରକ ଜଣାଇବେ ସଭିଁଏ । ଏହାପରେ ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ମଉଜର ଆସର ଜମିବ ।
ଆଜିର ଦିନକୁ ଇସଲାମ ଧର୍ମରେ ବଳିଦାନର ଦିନ ବୋଲି କୁହାଯାଏ । ଇସଲାମ ଧର୍ମାବଲମ୍ବୀମାନେ ଏହି ପର୍ବରେ ଭଗବାନ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ସହିତ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି । ଇଦ ଏକ ଆରବୀ ଶବ୍ଦ ଯାହାର ଅର୍ଥହେଲା ଆନନ୍ଦ ଉତ୍ସବ ଓ ଫିଦର ବା ଫିତ୍ରର ଅର୍ଥ ହେଲା ଉପବାସ ଭାଙ୍ଗିବା। ଏଇ ପର୍ବଟି ଅଣତିରିସିଆ ବା ତିରିସିଆ ମାସରେ ସୂର୍ୟ୍ୟୋଦୟରୁ ସୂର୍ୟ୍ୟାସ୍ତ ପର୍ୟ୍ୟନ୍ତ କରାଯାଉଥିବା ଉପବାସର ଉପସଂହାର। ସେଥିପାଇଁ ଇଦର ପ୍ରଥମ ଦିନ ମାସର ପ୍ରଥମ ଦିନ ହୋଇଥାଏ । ପବିତ୍ର ଇଦ ଅବସରରେ ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ଲେଖିଛନ୍ତି, ଇଦ୍ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆଲ୍ଲା ଆମ ଜୀବନରେ ସୁଖ, ସମୃଦ୍ଧି ଏବଂ ଶାନ୍ତି ଆଣନ୍ତୁ ଏବଂ ଆମକୁ ଦୟା ଏବଂ ପ୍ରେମ ପଥରେ ଆଗେଇ ନିଅନ୍ତୁ। ଏଥିଲାଗି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ନିଜର ଟୁଇଟରରେ ଲେଖିଛନ୍ତି, ଇଦର ଶୁଭ ଉତ୍ସବ ସମସ୍ତଙ୍କ ମଧ୍ୟରେ ଏକତା, ସୌହାର୍ଦ୍ଦ୍ୟ ଏବଂ ଶାନ୍ତିର ବିସ୍ତାର କରୁ ।