ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ପୁରୀ: ପୁରୀର ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା । ଦିଲ୍ଲୀ ଏମ୍‌ସରେ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଉପମୁଖ୍ୟମନ୍ତ୍ରୀ । ଏଥିସହ ଡାକ୍ତର ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ସହ ରାଜ୍ୟ ସରକାର ଆବଶ୍ୟକ ସହଯୋଗ ଯୋଗାଇ ଦେବେ ବୋଲି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଭାତୀ ପରିଡା।

ବଳଙ୍ଗା ପୀଡ଼ିତାଙ୍କୁ ଭେଟିବା ନେଇ ଶ୍ରୀମତୀ ପରିଡ଼ା ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ମୋ ନିର୍ବାଚନ ମଣ୍ଡଳୀ କ୍ଷେତ୍ର ଅନ୍ତର୍ଗତ ବଳଙ୍ଗାର ପୀଡ଼ିତାଙ୍କୁ ଭେଟିବା ସହ ତାଙ୍କ ପରିବାରବର୍ଗ ଏବଂ ସମ୍ପର୍କୀୟଙ୍କ ସହ ଦେଖା କଲି। ଏହି ଗସ୍ତ ସମୟରେ, ତାଙ୍କୁ ଚିକିତ୍ସା ପ୍ରଦାନ କରୁଥିବା ଡାକ୍ତରୀ ଦଳ ଏବଂ ବିଶେଷଜ୍ଞ ମାନଙ୍କ ସହ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବଂ ଆଗାମୀ ଦିନରେ ହେବାକୁ ଥିବା ଚିକିତ୍ସା ବିଷୟରେ ଆଲୋଚନା କଲି। ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ, ମହାପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା।

ଗତ ଶନିବାର ପୀଡ଼ିତା ସାଙ୍ଗ ଘରକୁ ଯାଉଥିବାବେଳେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଟେକି ନେଇ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ । ପୀଡ଼ିତା ଚିକ୍ରାର କରିବା ପରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଭୁବନେଶ୍ୱର ଏମ୍ସ ପରେ ପୀଡ଼ିତାଙ୍କୁ ଏୟାର ଲିଫ୍ଟ କରି ଦିଲ୍ଲୀ ଏମ୍ସ ନିଆଯାଇଥିଲା । ଯେଉଁଠାରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଛି ।