ଗାଡି ଚାଳକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି

ଗାଡି ଚାଳକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ସରକାର କମାଇବେ ପ୍ରଦୂଷଣ ଫାଇନ । ତେବେ ପ୍ରଦୂଷଣ ଫାଇନକୁ ନେଇ ଚାଳକଙ୍କ ମଧ୍ୟରେ ଚିନ୍ତା ବଢି ଯାଇଥିଲା । ଯାହାକୁ ନେଇ ଏବେ ସମାନ୍ୟ ଆଶ୍ୱସ୍ତି ମିଳିଛି । ପ୍ରଦୂଷଣ ସାର୍ଟିଫିକେଟ୍ ପାଇଁ ସମୟସୀମା ତ ମାର୍ଚ୍ଚ ଶେଷ ଯାଏଁ ବଢ଼ାଯାଇଛି, ତା’ସହ ଆଗକୁ ମୋଟା ଫାଇନ ଲାଗିବ ନାହିଁ ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି, ପରିବହନ ମନ୍ତ୍ରୀ । ଆଉ ୧୦ ହଜାର ନୁହେଁ ଦୁଇ କିମ୍ବା ତିନି ହଜାର ଟଙ୍କା ହେବ ପ୍ରଦୂଷଣ ଜୋରିମାନା । ଲୋକଙ୍କ ଆର୍ଥିକ ବୋଝ ଦେଖି ଜୋରିମାନା କମାଇବାକୁ ବିଚାର କରୁଛି ପରିବହନ ବିଭାଗ । ଏଥିପାଇଁ ଦେଶର ବିଭିନ୍ନ ରାଜ୍ୟରେ ଥିବା ପ୍ରଦୂଷଣ ଜୋରିମାନା ରାଶିକୁ ତର୍ଜମା କରୁଛି ବିଭାଗ । କିଛି ଦିନ ତଳେ ମାର୍ଚ୍ଚ ଶେଷ ପର୍ୟ୍ୟନ୍ତ ପ୍ରଦୂଷଣ ସାର୍ଟିଫିକେଟ ଜୋରିମାନାକୁ କୋହଳ କରିବା ସହ ଟୋଲ ଗେଟ ଯାଞ୍ଜ ବେଳେ କଟକଣା କୋହଳ ପରେ ପ୍ରଦୂଷଣକୁ ନେଇ ଥମୁନି ରାଜନୀତି । ଅନ୍ୟପଟେ ଛାତ୍ର ବିଜେଡି ପରେ ଆଜି ସାଇକେଲ ରାଲି କରି ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା ଯୁବ କଂଗ୍ରେସ ।

ପଲ୍ୟୁସନ ସେଣ୍ଟର ଏବେ ପିକନିକ ସ୍ପଟ କହି କଟାକ୍ଷ କରିଛି ବିଜେଡି । ତେବେ ୧୦ ହଜାର ଟଙ୍କା ଜୋରିମାନା ଲାଗୁକରିଥିବା ଲୋକ ବେଶି ପାଟି କରୁଛନ୍ତି କହି ବିରୋଧୀକୁ ଟାର୍ଗେଟ କରିଛନ୍ତି ପରିବହନ ମନ୍ତ୍ରୀ । ୨୦୧୯ରେ ମୋଟର ଭେଇକିଲ ଆକ୍ଟରେ ସଂଶୋଧନ କରି ପ୍ରଦୂଷଣ ଫାଇନକୁ ୨ ହଜାରରୁ ୧୦ ହଜାର କରିଥିଲେ କେନ୍ଦ୍ର ସରକାର । ତେବେ ଉତ୍ତର ପ୍ରଦେଶ ମଧ୍ୟପ୍ରଦେଶ କେରଳ ଓ ପଡୁଚେରୀରେ ପ୍ରଦୂଷଣ ଫାଇନକୁ ୧୦ ହଜାରରୁ କମାଇଛନ୍ତି ସେଠାକାର ସରକାର । ତେଣୁ ଏ ସବୁ ରାଜ୍ୟର ତଥ୍ୟ ସଂଗ୍ରହ କରି ରାଜ୍ୟ ସରକାର ଫାଇନ କମାଇବା ନେଇ ତୁରନ୍ତ ନିଷ୍ପତ୍ତି ନେଇପାରନ୍ତି. ଏହା ଭିତରେ ଶନିବାରଠାରୁ ପଲ୍ୟୁସନ ସେଣ୍ଟର ଗୁଡିକରେରେ ଗ୍ରୀନ ଷ୍ଟିକର ମିଳିବା ନେଇ ବିଭାଗ କହିଥିଲେ ବି ଏପର୍ୟ୍ୟନ୍ତ ମିଳିନି ଗ୍ରୀନ ଷ୍ଟିକର । ତେବେ ଯାଞ୍ଜ ଅଧିକାରୀ ମାନେ ଜାଣିବା ପାଇଁ କେବଳ ଗ୍ରୀନ ଷ୍ଟିକର ବ୍ୟବସ୍ଥା କରାଯାଇଥିବାରୁ ଚାଳକ ଦ୍ବନ୍ଦରେ ନ ରହିବାକୁ ଅପିଲ କରିଛନ୍ତି ପରିବହନ ମନ୍ତ୍ରୀ ।